ମେ’ରେ ଯଦି ଏତେ ତେବେ ଜୁନ୍‌ରେ କେତେ?

ରାଜ୍ୟରେ କାଲିଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌

  • ରାଜ୍ୟରେ କାଲିଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌
  • ରାଜ୍ୟରେ ପଜିଟିଭିଟି ରେଟ୍ ୧୧ % ଉପରେ
  • ସୁନ୍ଦରଗଡ଼ରେ କଟକଣା କୋହଳକୁ ନେଇ ଉଠିଲା ପ୍ରଶ୍ନ
  • ଘାତକ ମେରେ ୭୧୧ ଜଣଙ୍କ ଜୀବନ ନେଇଥିଲା ମହାମାରୀ
  • କରୋନା ମହାମାରୀର ଜୁନ୍ ସ୍ଥିତି ଉପରେ ନଜର

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌। ତେବେ କଟକଣା ସାମାନ୍ୟ କୋହଳ କରାଯାଇଥିବା ୩ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼କୁ ରଖାଯିବା ନେଇ ଉଠିଛି ପ୍ରଶ୍ନ। କାରଣ ମେ ଶେଷ ସପ୍ତାହରେ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୧୧.୦୫ ପ୍ରତିଶତ ରହିଛି। ସେପଟେ କରୋନା ଆସିବା ପରଠାରୁ ସବୁଠାରୁ ଘାତକ ସାଜିଛି ଚଳିତ ମେ ମାସ। କେବଳ ଏହି ମାସରେ ରାଜ୍ୟରେ ୩ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ଏତେ ସବୁ ସତ୍ତ୍ୱେ ଅମାନିଆ କିନ୍ତୁ ସୁଧୁରିବା ସ୍ଥିତିରେ ନାହାନ୍ତି।

ଦୁଇ ପର୍ଯ୍ୟାୟ ସରିଲା। କାଲିଠୁ ଲକଡାଉନ୍‌ 3.o। ଏହି ପର୍ଯ୍ୟାୟରେ ବି ପୂର୍ବର ସମସ୍ତ ନିୟମ ଜାରି ରହିବ। କେବଳ ଗଜପତି, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ନିୟମରେ କିଛିଟା କୋହଳ କରାଯାଇଛି। ଏହି ତିନି ଜିଲ୍ଲାରେ ସେଲୁନ୍, ସ୍ପା, ମଲ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକି ସବୁ ଦୋକାନ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଲକଡାଉନ୍‌ କୋହଳକୁ ନେଇ ଉଠିଛି ପ୍ରଶ୍ନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମେ ୨୪ରୁ ୩୦ ତାରିଖ ଭିତରେ ସୁନ୍ଦରଗଡ଼ରେ ଟେଷ୍ଟ ପିଜଟିଭିଟି ରେଟ୍ ବା TPR 11. 05 ପ୍ରତିଶତ ରହିଛି।

ଆଜି ବି ପଜିଟିଭି କେଶ୍ ୪୬୫ ଥିବା ବେଳେ ଜିଲ୍ଲାରେ ଆକ୍ଟିଭ୍ କେସ ସଂଖ୍ୟା ୫ ହଜାର ୬୨୨ ରହିଛି। ତେବେ ମେ ଶେଷ ସପ୍ତାହରେ ଅନ୍ୟ ଦୁଇ ଜିଲ୍ଲା ନୂଆପଡ଼ାରେ ଟିପିଆର୍ ୯.୭୩ ପ୍ରତିଶତ ଓ ଗଜପତିରେ ୭.୦୫ ପ୍ରତିଶତ ରହିଛି। ତେବେ ଆଗକୁ ଯଦି ଏସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ବଢ଼େ, ତେବେ ପୁଣି କଟକଣା ବଢ଼ିବ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି।

କରୋନାର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ଘାତକ ସାଜିଛି ମେ। କେବଳ ଏହି ଗୋଟିଏ ମାସରେ ଓଡ଼ିଶାରେ ପ୍ରାୟ ୩ ଲକ୍ଷ ୨୦ ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ଜୀବନ ନେଇଛି ମହାମାରୀ ସମସ୍ତଙ୍କ ନଜର ଜୁନରେ କଣ ହେବ ସ୍ଥିତି? ଏବେ ପଜିଟିଭିଟି ରେଟ୍ କମୁଥିବାରୁ ଜୁନରେ ଏହା ଆହୁରି ହ୍ରାସ ପାଇ ଏକ ଅଙ୍କକୁ ଚାଲିଆସିବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି। କିନ୍ତୁ ଚିନ୍ତା ବଢ଼ାଉଛି ସମ୍ଭାବ୍ୟ ତୃତୀୟ ଲହର। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଧ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଗତକାଲି ଅବଗତ କରିଥିଲେ। ତେଣୁ ଏବେଠୁ ସତର୍କ ହେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। କରୋନାକୁ ଚେକ୍ ଦେବାକୁ ସରକାର ଲକଡାଉନ୍‌ ଅବଧି ବଢ଼ାଇ ଚାଲିଥିବା ବେଳେ ଅମାନିଆ କିନ୍ତୁ ସୁଧୁରିବା ଭଳି ଲାଗୁନାହାଁନ୍ତି। ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ କରୋନା ସଂକ୍ରମଣ କମିବା ଓ ଲକଡାଉନ୍‌ ହଟିବା ସବୁ ନିର୍ଭର କରୁଛି ଆମମାନଙ୍କ ଶୃଙ୍ଖଳା ଉପରେ।

You might also like