ଆଜିଠାରୁ ଏହି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ । ଏହା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

ଜାରି  ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ।  ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ।

୫୦୦ ମିଲି ଲିଟରଠୁ କମ୍ ପରିମାଣର ପାଣିବୋତଲ, ଥର୍ମୋକୁଲ୍‌ କିମ୍ବା ପ୍ଲାଷ୍ଟିକ୍‌ ପ୍ରସ୍ତୁତ ଥାଳି,ଚାମଚ୍‌, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଓ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର୍‌ ମଧ୍ୟ ବ୍ୟବହାର କରାଯିବନି।  ସେହିପରି କୌଣସି ବ୍ୟକ୍ତି ଜାଣତରେ କିମ୍ବା ଅଜାଣତରେ ପ୍ଲାଷ୍ଟିକ୍‌ ଏଣେ ତେଣେ ଫିଙ୍ଗିପାରିବେ ନାହିଁ।  ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଦ୍ରବ୍ୟ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହାର ହେଉଥିବା ୫୦ ମାଇକ୍ରନଠାରୁ ଅଧିକ ମୋଟେଇ ପଲିଥିନ୍, ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିବା ଉପରେ କଟକଣା ରହିବ ନାହିଁ।

ନର୍ସରୀ, କୃଷି, ଉଦ୍ୟାନ କୃଷି ଲାଗି ବ୍ୟବହାର ହେଉଥିବା ପଲିଥିନ୍ ଓ ସ୍ୱାସ୍ଥ୍ୟକ୍ଷେତ୍ର ବିଶେଷ କରି ମେଡିସିନ୍, ରକ୍ତ ସଂରକ୍ଷଣ ବ୍ୟାଗ୍, ସିରିଞ୍ଜ୍ ଓ ଅନ୍ୟ ଡାକ୍ତରୀ ଉପକରଣ କ୍ଷେତ୍ରରେ କୌଣସି କଟକଣା ଲାଗିବନି। ଏଥିସହ ଯେଉଁମାନଙ୍କ ନିକଟରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ଠାରୁ ଅଧିକ ମାଇକ୍ରନରର ପଲିଥିନ୍‌ କି ପ୍ଲାଷ୍ଟିକ୍‌ ସାମଗ୍ରୀ ଅଛି ତେବେ ଏହାକୁ ତୁରନ୍ତ ଶେଷ କରନ୍ତୁ। କାହିଁକି ନା ଅକ୍ଟୋବର ୨୬ ପରେ ଏହି ସାମଗ୍ରୀ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଆଇନ୍‌ ଖିଲାପକାରୀଙ୍କୁ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଅଛି। ଛୋଟ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା ଲାଗି ବ୍ୟବସ୍ଥା କରାଯାଇଛି।

You might also like