କଟକଣା ପରେ ସଚେତନ; ସମସ୍ତେ ପିନ୍ଧିଲେ ମାସ୍କ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ, ଆଜିିଠୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶନାମା ଜାରି କରାଯିବା ପରେ ଆଜି ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ଥିବା ଦେଖିବାକୁ ମିଳିଛି।

କଟକ ବାଦାମବାଡି ହେଉ ବା ରାଜଧାନୀ ରାଜରାସ୍ତା ସବୁଠି ଲୋକଙ୍କ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ମାସ୍କ ପିନ୍ଧିବା ନେଇ ଆହୁରି କଡା ପଦକ୍ଷେପ ନେଇଛି ପ୍ରଶାସନ। ଏଠାରେ ମାସ୍କ ନ ପିନ୍ଧିଲେ ଗ୍ରୋସରି ମିଳିବନି ବୋଲି ଘୋଷଣା କରାଯାଇଛି। ତେଣୁ ୯୦ ପ୍ରତିଶତ ଲୋକଙ୍କ ମୁହଁରେ ଆଜି ମାସ୍କ ଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଏକଥା ବି କୁହାଯାଇଛି ଯେ,  କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ଲୁଣ ପାଣିରେ ଫୁଟାଇ ଖରାରେ ଶୁଖାଇ ମାସ୍କ ତିଆରି କରିପାରିବେ।

ଗାମୁଛା ଓ ଶାଢ଼ୀକୁ ଦୁଇ ପରସ୍ତ କରି ମଧ୍ୟ ମୁହଁକୁ ଘୋଡ଼ାଇ ହେବ। ତେବେ ୨ ବର୍ଷରୁ କମ୍ ବୟସର ଶିଶୁ, ଶ୍ୱାସ ରୋଗୀ, ଅଚେତ ବ୍ୟକ୍ତି ଓ ବିଛଣାରେ ପଡ଼ିଥିବା ଅସହାୟଙ୍କୁ ମାସ୍କ ଲଗାଇବାକୁ ମନା କରାଯାଇଛ। ଲୋକମାନେ ଘରୁ ବାହାରିଲେ ମାସ୍କ ଲଗାଇବେ ଏବଂ ଘରକୁ ଫେରିବା ପରେ ଗରମପାଣି ଓ ସାବୁନରେ ମାସ୍କକୁ ଭଲଭାବେ ସଫା କରି ଖରାରେ ଶୁଖାଇ ପୁଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କୋଭିଡ୍-୧୯ ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

 

 

You might also like