ଆଜିଠୁ ୩ ଦିନ ସାମ୍ବାଦିକଙ୍କୁ ଦିଆଯିବ ଟିକା, ସେପଟେ ଆଜି ରାଜ୍ୟରେ ପହଞ୍ଚିବ ଆଉ ଲକ୍ଷେ କୋଭିସିଲ୍ଡ ଟିକା

ଆଜି ଆସିବ ଲକ୍ଷେ ଡୋଜ୍

  • ଆଜି ଆସିବ ଲକ୍ଷେ ଡୋଜ୍
  • ଆଜି ରାଜ୍ୟକୁ ଆସି ପହଞ୍ଚିବ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା
  • ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ
  • ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ୪.୭୮ ଲକ୍ଷ କୋଭିସିଲଡ ଦେବ କେନ୍ଦ୍ର
  • ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟକୁ ଯୋଗାଇବ କେନ୍ଦ୍ର ସରକାର

ଭୁବନେଶ୍ୱର: ଆଜିଠୁ ତିନି ଦିନ ଯାଏ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ। ଭୁବନେଶ୍ୱରରେ ଆଜିିଠାରୁ ୬ ତାରିଖ ଏହି ୩ ଦିନ ଯାଏଁ ଟିକା ଦେବା ନେଇ ବନ୍ଦୋବସ୍ତ ହୋଇଛି। ୟୁନିଟ୍-୬ ସରକାରୀ ହାଇସ୍କୁଲ ପରିସରରେ ଟିକାକରଣ ହେବ। ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଅଧିନରେ ଆସୁଥିବା ସାମ୍ବାଦିକଙ୍କ ବୀମା ନମ୍ବର ଆଧାରରେ ତିନି ଦିନ ବିଭକ୍ତ କରାଯାଇଛି। ନିର୍ଦ୍ଦିଷ୍ଠ ଦିନରେ ସାମ୍ବାଦିକ ମାନେ ଯାଇ ଭ୍ୟାକସିନ୍ ନେଇ ପାରିବେ। ଏଥିପାଇଁ ନିଜ ପରିଚୟପତ୍ର ଓ ବୀମା କାର୍ଡ ଦେଖାଇ ପାରିବେ।

ସେପଟେ, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଆସନ୍ତା ୫ ତାରିଖରୁ ରାଜ୍ୟରେ ଲକଡାଉନ୍‌ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲେ ବି ଟିକାକରଣ କିନ୍ତୁ ଜାରି ରହିବ ବୋଲି ସୂଚନା ମିଳିଛି। କେବଳ ରବିବାରକୁ ଛାଡ଼ି ଅନ୍ୟ ସବୁଦିନ ଭ୍ୟାକ୍ସିନ ଦିଆଯିବ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୋମବାରରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ କାର୍ଯ୍ୟ ଜାରି ରହିବ। ତେବେ ଟିକା ନେବା ପାଇଁ ଯେଉଁମାନେ ଯୋଗ୍ୟ ବ୍ୟକ୍ତି, ସେମାନେ ହିଁ ନିର୍ଦ୍ଧାରିତ ସମୟ ଭିତରେ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଟିକା ନେବା ପାଇଁ ଯିବା ସମୟରେ ନିଜ ଗାଡ଼ି, ଟ୍ୟାକ୍ସି କିମ୍ବା ଅଟୋରେ ଟିକାକରଣ କେନ୍ଦ୍ରକୁ ଯାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିବା ସହ ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗନର କମିଶନର ଏବଂ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର।

ଏପଟେ,  ରାଜ୍ୟକୁ ଆଉ ୪ ଲକ୍ଷ ୭୮ ହଜାର କୋଭିସିଲ୍ଡ ଡୋଜ୍ ଆସିବ। ଆଜି ଏଥିରୁ ଲକ୍ଷେ ଡୋଜ୍ ଆସି ପହଂଚିବା ନେଇ ସୂଚନା ମିଳିଛି। ଏହି ଟିକା ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଆସିବ। ଏହାଛଡ଼ା ଏହି ପ୍ରକ୍ରିୟାରେ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। ମୋଟ୍ ୪ ଲକ୍ଷ ୭୮ ହଜାର କୋଭିସିଲ୍ଡ ଡୋଜ୍ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଇବେ । ଏବେ ରାଜ୍ୟରେ ଭ୍ୟାକସିନ୍ ଅଭାବ ଯୋଗୁଁ ୪୫ ବର୍ଷରୁ ଅଧିକଙ୍କ ଟିକାକରଣରେ ବାଧା ସୃଷ୍ଟି ହୋଇଛି।

You might also like