ଅକ୍ଟୋବର ୨ରୁ ୬ଟି ସହରରେ ନିଷେଧ ହେବ ପ୍ଲାଷ୍ଟିକ୍‌ ବ୍ୟବହାର

ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି।

ଜାରି  ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ।  ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ।

୨୦୦ ମିଲି ଲିଟରଠୁ କମ୍ ପରିମାଣର ପାଣିବୋତଲ, ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ୍‌ ପ୍ରସ୍ତୁତ ଥାଳି,ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଓ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର୍‌ ମଧ୍ୟ ବ୍ୟବହାର କରାଯିବନି।  ସେହିପରି କୌଣସି ବ୍ୟକ୍ତି ଜାଣତରେ କିମ୍ବା ଅଜାଣତରେ ପ୍ଲାଷ୍ଟିକ ଏଣେ ତେଣେ ଫିଙ୍ଗିପାରିବେ ନାହିଁ।  ଧାର୍ମିକ ସଂଗଠନ,  ହୋଟେଲ, ରେଷ୍ଟୁରାଣ୍ଟ୍‌, ବିବାହ ମଣ୍ଡପ, ଅଫିସରେ ମଧ୍ୟ  ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ରହିବ। ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ନର୍ସରୀ, କୃଷି, ଉଦ୍ୟାନ କୃଷି ଲାଗି ବ୍ୟବହାର ହେଉଥିବା ପଲିଥିନ୍ ଓ ସ୍ୱାସ୍ଥ୍ୟକ୍ଷେତ୍ର ବିଶେଷକରି ମେଡିସିନ୍, ରକ୍ତ ସଂରକ୍ଷଣ ବ୍ୟାଗ୍, ସିରିଞ୍ଜ୍ ଓ ଅନ୍ୟ ଡାକ୍ତରୀ ଉପକରଣ କ୍ଷେତ୍ରରେ କୌଣସି କଟକଣା ଲାଗିବନି। ଏଥିସହ ଯେଉଁମାନଙ୍କ ନିକଟରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ଠାରୁ ଅଧିକ ମାଇକ୍ରନରର ପଲିଥିନ୍‌ କି ପ୍ଲାଷ୍ଟିକ୍‌ ସାମଗ୍ରୀ ଅଛି ତେବେ ଏହାକୁ ତୁରନ୍ତ ଶେଷ କରନ୍ତୁ। କାହିଁକି ନା ଅକ୍ଟୋବର ୨୬ ପରେ ଏହି ସାମଗ୍ରୀ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

You might also like