ମୋ ସାମ୍ରାଜ୍ୟ ନ ଥିଲା, ଭୁଲ୍ରେ ପାଦ ରଖିଦେଲି….
ଭୁବନେଶ୍ୱର: ‘ମୁଁ ଯାହା ସବୁ ପାଇଛି ଲୋକଙ୍କ ପାଇଁ। ଯେଉଁଠି ପହଞ୍ଚିଛି ଲୋକଙ୍କ ପାଇଁ। ଲୋକଙ୍କଠାରୁ ଏତେ ବେଶି ପାଇ ତାଙ୍କ ପାଖରେ ଋଣୀ ହୋଇଯାଇଛି। ଯଥେଷ୍ଟ ସମୟ ହୋଇଗଲାଣି। ଏମାନଙ୍କ ଭଲ ପାଇବାର, ଋଣ ଶୁଝିବାର ବେଳ ଆସିଗଲାଣି। ସେଥିପାଇଁ ରାଜନୀତିକୁ ଆସିଥିଲି।….’
ରାଜନୀତିକୁ କାହିଁକି ଆସିଲେ ପ୍ରଶ୍ନର ଏମିତି ଏକ ସରଳ ଉତ୍ତର ଦେଇ ନିଜର ନିଷ୍କପଟ ହୃଦୟର ପରିଚୟ ଦେଇଥିଲେ ଦିନେ ବିଜୟ। ଓଲିଉଡର ବେତାଜ ବାଦଶାହ ବିଜୟ ମହାନ୍ତି।
ଫିଲ୍ମ ଦୁନିଆରେ ଯେଉଁଠି ପାଦ ରଖୁଥିଲେ ସେଠି ନିଜର ସାମ୍ରାଜ୍ୟ ତିଆରି କରୁଥିଲେ। ହେଲେ ରାଜନୀତିରେ ପାଦ ଦେଉ ଦେଉ ବିଫଳ ହୋଇଗଲେ ବିଜୟ ମହାନ୍ତି। ହେଲେ ସେଥିପାଇଁ ଅନୁଶୋଚନା ନ ଥିଲା। ଭାବି ନେଇଥିଲେ ବୋଧହୁଏ ତାହା ତାଙ୍କର ସାମ୍ରାଜ୍ୟ ନ ଥିଲା। ଭୁଲ୍ରେ ପାଦ ଦେଇଦେଲେ।
ଜଣେ ସକାରାତ୍ମକ ଚିନ୍ତାଧାରାର ବ୍ୟକ୍ତିତ୍ୱ ଥିଲେ ବିଜୟ। ବିଜୟକୁ ନେଇ ଉଲ୍ଲସିତ ନ ଥିଲେ କି ହାରିବାରେ ଭାଙ୍ଗି ଯାଉ ନ ଥିଲେ।
ଅଭିନୟ କରି କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ବିଜୟ ଯେତେବେଳେ କଂଗ୍ରେସ ଟିକେଟ୍ରେ ଭୁବନେଶ୍ୱରରୁ ଏମପି ଆସନ ପାଇଁ ଲଢୁଥିଲେ ପାଇଥିଲେ ମାତ୍ର ୧ ଲକ୍ଷ ୪୭ ହଜାର ଭୋଟ ପାଇଥିଲେ ସେତେବେଳେ ବି ଥିଲା ସେଇ ସ୍ଥିତପ୍ରଜ୍ଞ ଉତ୍ତର ‘ବୋଧହୁଏ ମୁଁ ଏଥିପାଇଁ ଯୋଗ୍ୟ ନ ଥିଲି।’
ଆଜି ଆମ ପାଖରେ ନାହାନ୍ତି କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତି। ପଞ୍ଚଭୂତରେ ଲୀନ ହୋଇଯାଇଛି ତାଙ୍କର ଆତ୍ମା। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଦାହ ସଂସ୍କାରରେ ମୁଖାଗ୍ନି ତାଙ୍କର ଜ୍ୱାଇଁ ଦେଇଛନ୍ତି। ବିଜୟ ସିନା ଚାଲିଯାଇଛନ୍ତି, ହେଲେ ସେଇ ଅମଳିନ ବ୍ୟକ୍ତିତ୍ୱକୁ ଆଜି ସମସ୍ତେ ଝୁରୁଛନ୍ତି।