ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ସିଇଓ ଅରୁଣ ବୋଥ୍ରା

ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ଓଡ଼ିଶା ସିଇଓ ତଥା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା। ରାଜସ୍ଥାନର ମୂଳ ବାସିନ୍ଦା ଅରୁଣଙ୍କ ପ୍ରଚେଷ୍ଟାରେ ପୂର୍ବରୁ ମୁମ୍ବାଇର ଏକ ଶିଶୁ ପାଇଁ ରାଜସ୍ଥାନରୁ ଓଟକ୍ଷୀର ପଠାଯାଇଥିବା ବେଳେ, ଗତକାଲି ବ୍ରହ୍ମପୁରର ଏକ ଅଟିଜିମ୍ ପୀଡ଼ିତ ଶିଶୁ ପାଇଁ ମଧ୍ୟ ଓଟକ୍ଷୀର ଆସିଛି। ତେବେ ଶିଶୁର ଓଟକ୍ଷୀର କାହିଁକି ଦରକାର ପଡ଼ିଲା ଓ କିଭଳି ଥିଲା ପୂରା ପ୍ରକ୍ରିୟା, ପଢ଼ନ୍ତୁ ଏହି ରିପୋର୍ଟ।

ବ୍ରହ୍ମପୁର ଶିବଶକ୍ତି ନଗରର ଏଇ ୩ ବର୍ଷର କଅଁଳ ଶିଶୁ ଅଟିଜିମ୍‌ରେ ପୀଡ଼ିତ। ଫୁଡ୍ ଆଲର୍ଜି ଯୋଗୁ ତାର ଖାଦ୍ୟ କହିଲେ, କେବଳ କିଛି ଡାଲି ଆଉ ଦିନକୁ ୧୦୦ ଗ୍ରାମ ଓଟ କ୍ଷୀର। ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରାୟ ୬ ମାସ ଧରି ରାଜସ୍ଥାନରୁ ଓଟ କ୍ଷୀର ମଗାଇ ପିଲାକୁ ଖୁଆଉଥିଲେ ପରିବାର।

ହେଲେ ଏଥିରେ ବାଧା ଆଣିଲା ଦେଶବ୍ୟାପୀ ଲକ୍‌ଡାଉନ। ଗମନାଗମନ, ଟ୍ରେନ ଓ ବିମାନ ଚଳାଚଳ ଆଦି ସବୁ କିଛି ଠପ୍ ହୋଇଯିବା ପରେ ଓଟ କ୍ଷୀର ଆଣିବା ସମ୍ଭବ ହୋଇପାରିନଥିଲା।

ଏତିକି ବେଳେ ନୂଆ ଆଶା ଆଣିଥିଲା, ମୁମ୍ବାଇ ଚେମ୍ବୁରର ଏକ ସମାନ ସମସ୍ୟାରେ ପୀଡ଼ିତ ଶିଶୁ ପାଇଁ ଆଇପିଏସ୍ ଅଫିସର୍ ଅରୁଣ ବୋଥ୍ରା ଓଟକ୍ଷୀର ପଠାଇବା ଖବର। ଏହା ଜାଣିବା ପରେ ବ୍ରହ୍ମପୁରର ଏହି ଅସହାୟ ପରିବାର ଅରୁଣ ବୋଥ୍ରାଙ୍କୁ ଟ୍ୱିଟ୍ କରି ସହାୟତା ଲୋଡ଼ିଥିଲେ। ଅରୁଣ ବି ଏ କଥା ଜାଣିବା ପରେ, ବିମାନ ଓ ଟ୍ରେନ୍ ଯୋଗେ  ୧୦ ଲିଟର ଓଟକ୍ଷୀର ଓ ୮୦୦ ଗ୍ରାମ ଓଟ କ୍ଷୀର ପାଉଡର୍ ପହଞ୍ଚାଇବାରେ ସହାୟତା କରିଥିଲେ।

ସାଧାରଣ ସମୟରେ ରାଜସ୍ଥାନରୁ ବ୍ରହ୍ମପୁର ଓଟ କ୍ଷୀର ପହଞ୍ଚିବାକୁ ପ୍ରାୟ ୬ ଦିନ ଲାଗୁଥିବା ବେଳେ, ଏବେ ଲକ୍‌ଡାଉନ ସମୟରେ ଓଟକ୍ଷୀର ମାତ୍ର ୨ ଦିନରେ ପହଞ୍ଚିଥିଲା। ଟ୍ରେନ୍‌ରେ ରାଜସ୍ଥାନରୁ ଦିଲ୍ଲୀ, ଭାରତୀୟ ସେନା ବିମାନରେ ଦିଲ୍ଲୀରୁ କୋଲକାତା, ପୁଣି ଟ୍ରେନ୍‌ରେ କୋଲକାତାରୁ ଭୁବନେଶ୍ୱର ଆସିଥିଲା କ୍ଷୀର ପାର୍ସଲ୍।

ଏହାପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁମତି ନେଇ ଶିଶୁର ମାମୁଁ ବ୍ରହ୍ମପୁରରୁ ଭୁବନେଶ୍ୱର ଆସି କ୍ଷୀର ନେଇଯାଇଥିଲେ। ଭୁବନେଶ୍ୱର ଆସି ଫେରିଥିବାରୁ ସେ ଏବେ ନିୟମ ମୁତାବକ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି।

ଘଟଣା ସଂପର୍କରେ ଆମେ ଅରୁଣ ବୋଥ୍ରାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ, ତେବେ ସେ ଏଥିପାଇଁ ମନା କରିଥିଲେ।

ଆହୁରି ପଢ଼ନ୍ତୁ

You might also like