ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କନିଷ୍ଠ ପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା।
ଗତକାଲି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ବିୟୋଗକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ୱର୍ଗତ ଗୌର ଚନ୍ଦ୍ରଙ୍କର ପତ୍ନୀ ମୀରା ଦେବୀ, ୯ ଜଣ ପୁଅ ଓ ୪ ଜଣ ଝିଅ ଅଛନ୍ତି। ୧୯୧୫ ମସିହା ଜୁନ ୧୯ ତାରିଖରେ ଭଦ୍ରକ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟ ଜଣେ ଲେଖକ ଭାବେ ବେଶ୍ ପରିଚିତ ଥିଲେ।
ହରିଜନ ଗୀତ, ଏଇ ଦେଶେ ମୋର ଘର, ଆମ ଗାଁ, କିଛି ଅଭୁଲା ସ୍ମୃତି, ଆତ୍ମଜୀବନୀ, ଶାସନର ଚକ ତଳେ, ଗାଁ ମାଟି ଡାକେ ଭଳି ଆହୁରି ଅନେକ ସାହିତ୍ୟ ସୃଷ୍ଟିର ସେ ଥିଲେ ସ୍ରଷ୍ଟା।