ଗ୍ରାହକଙ୍କ ବିଶ୍ୱାସରେ ବିଷ ! ୧୨ ଜଣଙ୍କ ଆକାଉଣ୍ଟରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଗାଏବ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ) : ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍।  ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା।

ତାଲପାଲିପଡ଼ାର ଗୌରଚନ୍ଦ୍ର ପୃଷ୍ଟି ଉକ୍ତ ବ୍ୟାଙ୍କରେ ୧ ଲକ୍ଷ ୭୨ ହଜାର ଟଙ୍କା ରଖିଥିଲେ। ଗତ ୪ ତାରିଖରେ ସେ ପାସ୍‌ବୁକ୍‌ ଅପ୍‌ଡେଟ୍ କରିବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ଏହି ସମୟରେ ସେ ଜାଣିବାକୁ ପାଇଲେ ଆକାଉଣ୍ଟରେ ରହିଛି ୩୬ ଟଙ୍କା। ଯାହାକୁ ନେଇ ସେ ତାଜୁବ୍ ହୋଇଯାଇ ଥିଲେ।

ସେହିପରି ଆଉ ଜଣେ ଆକାଉଣ୍ଟଧାରୀ ହେଉଛନ୍ତି ଦେବଶ୍ରୀ ପୁରୋହିତ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ୮୦ ହଜାର ଟଙ୍କା ସଞ୍ଚୟ ସାର୍ଟିଫିକେଟ୍ ଜରିଆରେ ଜମା ରଖିଥିଲେ। କିଛି ଦିନ ତଳେ ସୁଧ ବାବଦକୁ ମିଳିବାକୁ ଥିବା ୮ ହଜାର ଟଙ୍କା ଆଣିବା ପାଇଁ ଯାଇଥିବା ବେଳେ ତାଙ୍କ ପୂର୍ବରୁ ଏହି ଟଙ୍କା କେହି ଉଠାଇ ନେଇଥିବା କହିଥିଲ ବ୍ୟାଙ୍କ୍ କର୍ତ୍ତୃପକ୍ଷ।

ପୂର୍ବରୁ ବ୍ୟାଙ୍କରେ ଏଟିଏମ୍‌ କାର୍ଡର ସୁବିଧା ନଥିଲା। ବର୍ଷେ ତଳେ ଏଟିଏମ୍‌ କାର୍ଡ଼ ଦିଆଯାଇଥିଲା। ହେଲେ ଏକାଧିକ ଗ୍ରାହକ ଏଟିଏମ୍ ପାଇନଥିବା ଓ ଆକାଉଣ୍ଟରୁ ଟଙ୍କା ହରଣଚାଲ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଲୁଟ୍‌ର ଖିଅ ପାଇଛନ୍ତି ଶାଖା ପରିଚାଳକ। ଗ୍ରାହକଙ୍କ ପାଖରେ କାର୍ଡ ପହଞ୍ଚିବା ପୂର୍ବରୁ ଏହାକୁ କେହି ବ୍ୟାଙ୍କରୁ ଚୋରି କରି ଟଙ୍କା ଉଠାଇ ନେଇଥିବା ସ୍ପଷ୍ଟ ହୋଇଛି। ସେପଟେ ଲୁଟେରା ଜଣକ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ବୋଲି ପରିଚାଳକ ସଫେଇ ଦେଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

You might also like