ଅନ୍‌ଲାଇନ୍‌ରେ ମଗାଇଲେ ଆୟୁର୍ବେଦିକ କ୍ୟାପସୁଲ୍‌, ଆସିଲା ପିଆଜ

ଅନୁଗୁଳ: ଅନ୍‌ଲାଇନରେ ମହାଠକେଇ ! ମଗାଇଥିଲେ ଆୟୁର୍ବେଦିକ କ୍ୟାପ୍‌ସୁଲ୍‌, କିନ୍ତୁ ଆସିଲା ଖଣ୍ଡେ ପିଆଜ। ସେହିପରି ବୁକ୍ କରିଥିଲେ ୩ଟି ମୋବାଇଲ୍, କିନ୍ତୁ ଆସିଲା ୨ଟି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ କନ୍ୟାବେଡ଼ା ଗାଁରୁ ଏଭଳି ଅଭିଯୋଗ ଆସିଛି।

ଗାଁର ମୂରଲୀ ସାହୁ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କର ଅଭିଯୋଗ ଯେ, ସେ ଆମାଜନ୍‌ରେ ଏକ ଆୟୁର୍ବେଦିକ କ୍ୟାପସୁଲ୍‌ ଅର୍ଡର କରିଥିଲେ। ଗତ ୨୧ ତାରିଖରେ ଅର୍ଡର ଡେଲିଭରି ପରେ ପ୍ୟାକେଟ୍ ଖୋଲି ଦେଖିଲା ବେଳକୁ ସେଥିରେ ଥିଲା ଖଣ୍ଡେ ପିଆଜ।

କେବଳ ଏହି ଗୋଟିଏ ନୁହେଁ, ଗତ ୧ ତାରିଖରେ ୩ଟି ମୋବାଇଲ୍ ପାଇଁ ମଧ୍ୟ ସେ ଅର୍ଡର କରିଥିଲେ। ହେଲେ ୧୦ ତାରିଖରେ ଆସି ପହଞ୍ଚିଲା ମାତ୍ର ୨ଟି ମୋବାଇଲ। ଏନେଇ ଅଭିଯୋଗ ପରେ ଆମାଜନ୍‌ କର୍ତ୍ତୃପକ୍ଷ ୧୯ ତାରିଖ ସୁଦ୍ଧା ପହଞ୍ଚିଯିବ ବୋଲି କହିଥିଲେ। ହେଲେ ଆଜିଯାଏ ସାମଗ୍ରୀ ପହଞ୍ଚିନି। ଏପରିକି ସେ ଟଙ୍କା ମଧ୍ୟ ଫେରି ପାଇ ନାହାନ୍ତି।

ଏ ସମ୍ପର୍କରେ ପଚାରିବାରୁ ଆମାଜନ୍‌ରେ ଅନୁଗୁଳ ବ୍ରାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ହାତ ଟେକି ଦେଇଛନ୍ତି।

You might also like