ଅଭିନବ ଠକେଇ: ୯୯୯ ଟଙ୍କା ରିଚାର୍ଜରେ ମାଗଣା କଲ୍ର ଲୋଭନୀୟ ଅଫର ଦେଇ ଠକୁଥିଲେ
ଚୌଦ୍ୱାର(ପ୍ରକାଶ ନାୟକ): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍ଲାଇନ୍ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିବା ବେଳେ ଏବେ ମୋବାଇଲ ଓ ଟିଭି ରିଚାର୍ଜ ନାଁରେ ଠକେଇ ଘଟଣା ସାମ୍ନାକୁ ଆସିଛି। ସାଙ୍ଗଭି ନାମକ ଏକ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି। ସଂପୃକ୍ତ ସଂସ୍ଥା ରିଚାର୍ଜ ଓଡ଼ିଶା ନାଁରେ ଅଫର ଦେଇ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ଏଜେଣ୍ଟ ଏନେଇ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।
୨୦୨୦ରେ କଟକ ବୈୟାଳିଶ ମୌଜାରେ ଏହି ସଂସ୍ଥା କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ରିଚାର୍ଜ ସେବା ଯୋଗାଉଥିଲା। ବିଏସ୍ଏନ୍ଏଲ୍ ଓ ଜିଓ ମୋବାଇଲରେ ୯୯୯ ଟଙ୍କା ରିଚାର୍ଜ କଲେ ବର୍ଷେ ପର୍ଯ୍ୟନ୍ତ ଦୈନିକ ଅନ୍ଲିମିଟେଡ୍ କଲ୍ ସହ ୨ ଜିବି ଡାଟା ଯୋଗାଇବାକୁ ସଂସ୍ଥା ପକ୍ଷରୁ ଲୋକଙ୍କୁ ଲୋଭ ଦେଖା ଯାଇଥିଲା। ସେହିପରି ୧୪୯୯ ଟଙ୍କାର DTH ରିଚାର୍ଜ କଲେ ବର୍ଷ ସାରା ମାଗଣା ଟିଭି ଦେଖିପାରିବେ ବୋଲି ମଧ୍ୟ ଗ୍ରାହକଙ୍କୁ ଲୋଭନୀୟ ଅଫର ଦିଆଯାଇଥିଲା।
ଏହାସହ ଗ୍ରାହକଙ୍କ ଠାରୁ ରିଚାର୍ଜ ବାବଦ ଟଙ୍କା ଆଣିଲେ ଏଜେଣ୍ଟଙ୍କୁ କମିଶନ ମିଳିବ ବୋଲି ମଧ୍ୟ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ପ୍ରାୟ ୨ ଲକ୍ଷ ଗ୍ରାହକଙ୍କଠାରୁ ବର୍ଷେ ରିଚାର୍ଜ ପାଇଁ ଟଙ୍କା ନେଇ କିଛି ଗ୍ରାହକଙ୍କର ୨ରୁ ୩ ମାସ ପାଇଁ ମୋବାଇଲ ଓ ଟିଭି ରିଚାର୍ଜ କରିଥିଲା ସଂସ୍ଥା। ଏହାପରେ ସମ୍ପୃକ୍ତ କମ୍ପାନୀରେ ତାଲା ପକାଇ ସଂସ୍ଥାର ଏମ୍ଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। କେବଳ ଓଡ଼ିଶା ନୁହେଁ କୋଲକାତାରେ ବି ସମ୍ପୃକ୍ତ ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ସଂସ୍ଥା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ମୁଁ ସାଢ଼େ ୩ ହଜାର ଗ୍ରାହକଙ୍କ ମୋବାଇଲ୍ ଓ ଟିଭି ରିଚାର୍ଜ କରିଛି। ସମୁଦାୟ ୫୬ ଲକ୍ଷ ଟଙ୍କା ରିଚାର୍ଜ କରିଛି। ୯୯୯ ଟଙ୍କା ରିଚାର୍ଜ କଲେ ୫୦ ଟଙ୍କା କମିଶନ ମିଳୁଥିଲା। ଟାର୍ଗେଟ୍ ପୂରଣ କଲେ ଟଙ୍କା ମିଳିବ ବୋଲି ଆମକୁ କୁହାଯାଉଥିଲା। ହେଲେ ଦୁଇ ମାସ ଟାର୍ଗେଟ୍ ପୂରଣ କଲା ପରେ ଆମ ପାଖକୁ ଆଉ renewal ଆସିଲା ନାହିଁ: ଅଭିଯୋଗକାରୀ
ସୂଚନାଥାଉ କି, କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ଅବସରପ୍ରାପ୍ତ କର୍ମଚାରୀ ଠକାମିର ଶିକାର ହୋଇଥିବା ବେଳେ ପୁଣି ଏଭଳି ଏକ ଠକାମିର ଶିକାର ହୋଇଥିଲେ କୋରାପୁଟ ଜିଲ୍ଲାର ୨ଜଣ ବ୍ୟକ୍ତି। ସୋସିଆଲ୍ ମିଡିଆରେ ଲୋଭନୀୟ ଅଫର ଦେଖାଇ ସାଇବର ଠକମାନେ ଏମାନଙ୍କ ନିକଟରୁ ହଜାର ହଜାର ଟଙ୍କା ଲୁଟି ନେଇଥିଲେ।