ମିଛ ଭୟ ଦେଖାଇ ଲୋକଙ୍କଠୁ ଟଙ୍କା, ସୁନା ଲୁଟୁଥିଲେ ଭଣ୍ଡ ବାବା; ଧରା ପଡ଼ିଗଲେ

କଟକ: ଧରା ପଡ଼ିଲା ଭଣ୍ଡ ବାବାଙ୍କ କଳା କାରନାମା। ମିଛ କଥା କହି ଲୋକଙ୍କୁ ଠକୁଥିଲେ, ଶେଷରେ ଧରାପଡ଼ିଲେ। ଏପରି କିଛି ଘଟଣା ଘଟିଛି କଟକରେ। ଭଣ୍ଡ ବାବାଙ୍କ ଘର ବିଡ଼ାନାସୀ କୃଷକ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି।

‘ଜୀବନ ପ୍ରତି ବିପଦ ରହିଛି…ଯଦି ଏହାର ପ୍ରତିକାର ନ କରନ୍ତି ତେବେ ଅସୁବିଧା ହେ‘- ଏମିତି ମିଛି କଥା ଲୋକଙ୍କୁ କହି ଏହି ଭଣ୍ଡ ବାବା ପୂଜାପାଠ ବାହାନାରେ ସୁନା ଅଳଙ୍କାର ଓ ଟଙ୍କା ନେଇଥିଲେ। ବାବାଙ୍କ ଠକାମିର ଶିକାର ହୋଇଛନ୍ତି ବଙ୍ଗାଳି ସାହି ହଜାରୀ ଲେନ୍‌ରେ ରହୁଥିବା ଜଣେ ମହିଳା। 

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବାବା ଜାତକ ଦେଖି ପ୍ରଥମେ କହିଲେ-ଆପଣଙ୍କ ସ୍ୱାମୀଙ୍କର ଅପମୃତ୍ୟୁ ଅଛି। ପରେ ବାପ-ପୁଅଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଲେ। ତେବେ ପୂଜା କଲେ ଏସବୁ ବାଧାବିଘ୍ନ କଟିଯିବ। ଏହା ଜାଣିବା ପରେ ମୋ ସ୍ୱାମୀ ପୂଜା ପାଇଁ ୭ ହଜାର ଟଙ୍କା ଦେଲେ। ପୂଜା ସରିବା ପରେ ମୋଠୁ ଓ ମୋ ସ୍ୱାମୀଙ୍କଠୁ ଗୋଟେ ମୁଦି ନେଇ ଯାଇଥିଲେ। ପୁଣି ତା’ପରେ ଦ୍ୱିତୀୟ ଥର ଘରକୁ ଆସିଥିଲେ। ଏହି ସମୟରେ ଘରେ କେହି ନ ଥିଲେ। ଯାହାର ସୁଯୋଗ ନେଇ ସେ ମୋତେ ଗୋଟେ ଡେଉଁରିଆ ନେଇ  ମୁଁ ପିନ୍ଧିଥିବା ସୁନା ଚେନ୍‌ ଦେବାପାଇଁ କହିଥିଲେ। ଏହାପରେ ସୁନା ଚେନ୍‌ ନେଇଯାଇଥିଲେ।’

ଏତିକିରେ ଏହି ଭଣ୍ଡ ବାବାଙ୍କ ଏହି କଳା କାରାନାମା ସରି ନ ଥିଲା। ପୁଣି ଥରେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ବାହାରକୁ ଡକାଇ ଭୟଭୀତ କରାଇ ତାଙ୍କ ନିକଟରୁ ଏକ ସୁନା ଚେନ୍‌ ଓ ୨୦ ହଜାର ଟଙ୍କା ନେଇ ଯାଇଥିଲେ।

ଯେତେବେଳେ ଏହି ଦମ୍ପତି ଜାଣିଲେ କି ସେମାନେ ଠକାମିର ଶିକାର ହୋଇଛନ୍ତି, ଏହାପରେ ସେମାନେ ଉକ୍ତ ବାବାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ହଠାତ୍‌ ଗୋଟେ ଦିନ ବାବା ଜଣକ ତାଙ୍କ ଆଡ଼ୁ ସମ୍ପୃକ୍ତ ମହିଳାଙ୍କୁ ଫୋନ୍‌ କରିଥିଲେ। ଏହାପରେ ପରିବାର ଲୋକେ ଏକ ପ୍ଲାନ୍‌ କରି ବାବାଙ୍କୁ ଟଙ୍କା ଲୋଭ ଡକାଇ ଘରକୁ ଡାକିଥିଲେ। ଗତକାଲି ବାବା ଘରକୁ ଆସିବା ପରେ ସ୍ଥାନୀୟଲୋକେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ଏହି ସମୟରେ ବି ଭଣ୍ଡ ବାବା ଆଖି ବୁଜି ଚେତାଶୂନ୍ୟ ହୋଇଯିବା ଭଳି ଅଭିନୟ କରିଥିଲେ। 

ସେ ଯାଜପୁରରେ ବି ଏଭଳି ମିଛ କଥା କହି ଲୋକଙ୍କୁ ଠକି ଥିବା ନେଇ ଜଣାପଡ଼ିଛି।

ପୁରୀ ଘାଟ ଥାନା ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛିା 

You might also like