ବାତ୍ୟା ଫୋନି ମାଡ଼ରେ ଉଜୁଡ଼ି ଯାଇଛି ରାଜଧାନୀର ପାର୍କ

ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ବାତ୍ୟା ଫୋନି ମାଡ଼ରେ ଯେ ଭୁବନେଶ୍ୱରର ଘରଦ୍ୱାର, କୋଠାବାଡ଼ି ଭାଙ୍ଗିରୁଜି ଯାଇଛି ତାନୁହଁ, ରାଜଧାନୀର ୪ଟି ପ୍ରମୁଖ ପାର୍କରେ ବି ଫୋନି ରଚିଛି ଧ୍ୱଂସ୍ତର ତାଣ୍ଡବଲୀଳା।

ଜୟଦେବ ବାଟିକା ହେଉ କି ଫରେଷ୍ଟ ପାର୍କ, ଆଇଜି ପାର୍କ ହେଉ କି ଏକାମ୍ରକାନନ , ସବୁଠି ଛିନ୍‌ଛତ୍ର ଅବସ୍ଥା। କୋଟି କୋଟି ଟଙ୍କାର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି ଏସବୁ ପାର୍କରେ। ପରିଣାମ ସ୍ୱରୂପ ଅଧିକାଂଶ ପାର୍କକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବାବେଳେ ରାଜସ୍ୱ ଆଦାୟରେ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି।

ଜୟଦେବ ବାଟିକାରରେ ଭାଙ୍ଗିଯାଇଛି କୃତ୍ରିମ ଝରଣା। ନଷ୍ଟ ହୋଇଛି ବଣଭୋଜି ପାଇଁ ଉଦ୍ଧିଷ୍ଟ ପିଣ୍ଡି। ଗୋଟିଏ ଯୋଡ଼ିଏକୁ ଛାଡ଼ିଦେଲେ ଏକାଧିକ ପିଣ୍ଡି ବରବାଦ୍ ହୋଇଯାଇଛି ଫୋନି ମାଡ଼ରେ। ବିଦ୍ୟୁତ ଖୁଣ୍ଟ, ରେଷ୍ଟସେଡ୍, କିଛି ବି ବାଦ୍ ପଡ଼ିନି ବାତ୍ୟା ତାଣ୍ଡବରେ।

ଏହାର ପୁନରୁଦ୍ଧାର ପାଇଁ ହୁଏତ ଆହୁରି ୬ରୁ ୭ ମାସ ଲାଗିଯିବ। ତେଣୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ବନ୍ଦ କରିଦିଆଯାଇଛି। ଫଳରେ ଗତବର୍ଷ ପ୍ରାୟ ୨ କୋଟି ଟଙ୍କା ଆୟ କରିଥିବା ଜୟଦେବ ବାଟିକା ଏଥର ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ହାର୍ଟ ଅଫ୍ ଦ କ୍ୟାପିଟାଲ୍‌ରେ ଥିବା ଫରେଷ୍ଟ ପାର୍କର ଅବସ୍ଥା ବି ତଦୃପ। ଖେଳକୁଦ, ମର୍ଣ୍ଣିୱାକ ଏବଂ ଚିତ୍ତ ବିନୋଦନ ପାଇଁ ଉଦ୍ଧିଷ୍ଟ ଏହି ପାର୍କର ବଦଳିଯାଇଛି କାୟାକଳ୍ପ। ଧରାଶାୟୀ ହୋଇ ଟ୍ରାକ୍ ଉପରେ ପଡ଼ିଛି ଗଛଲତା। ପିଲାଙ୍କ ଖେଳକୁଦ ସରଞ୍ଜାମ ଭାଙ୍ଗିଯାଇଛି। ଆକର୍ଷଣୀୟ ମୂର୍ତ୍ତି ଗୁଡ଼ିକ ବି ଟଳିପଡ଼ିଛି ଫୋନି ମାଡ଼ରେ। ଏକଦା ହୁଡ୍‌ହୁଡ୍ ଏବଂ ଫାଇଲିନ୍ ବାତ୍ୟାରେ ଟଳମଳ ହୋଇନଥିବା ଏହି ବିଜୁ ପଟ୍ଟନାୟକ ପାର୍କ କିନ୍ତୁ ଫୋନିରେ ସାଂଘାତିକ ପ୍ରଭାବିତ ହୋଇଛି। ସ୍ଥିତି ଏପରି ହୋଇଛି ଯେ, ଏଠି ବି ସାଧାରଣ ଦର୍ଶକଙ୍କ ପ୍ରବେଶକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି।

ଐତିହାସିକ ତଥା ରାଜ୍ୟବାସୀଙ୍କ ପାଇଁ ବହୁ ପରିଚିତ ଇନ୍ଦିରାଗାନ୍ଧୀ ପାର୍କ ବି ବାଦ୍ ପଡ଼ିନି ଫୋନିର କରାଳରୂପରେ। ଏଠି ବି ଧ୍ୱଂସର ତାଣ୍ଡବ। ଏଠି ବି ଚତୁର୍ଦ୍ଦିଗରେ ଉଜୁଡା ଚିତ୍ର। ଗ୍ରୀଷ୍ମ ଆଉ ଗୁଳୁଗୁଳିରୁ ତ୍ରାହି ପାଇଁ ଶୀତଳ ହାୱାର ସ୍ପର୍ଶ ଦେଉଥିବା ଆଇଜି ପାର୍କ ବି ଛାରଖାର୍ ହୋଇଛି ଫୋନିରେ।

ଏହି ପାର୍କ ବି ବନ୍ଦ ରଖାଯାଇଛି ସାମୟିକ ଭାବେ। ସମାନ ଅବସ୍ଥା ଏକାମ୍ରକାନନ ପାର୍କରେ। ଭାଙ୍ଗିଯାଇଛି ପାଚେରୀ ସବୁ। ବିରାଟକାୟ ଗଛପଡ଼ି ଚଲାବୁଲା ପାଇଁ ଉଦ୍ଧିଷ୍ଟ ରାସ୍ତା ବି ଅବରୋଧ ରହିଛି।

You might also like