ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ, ସବୁ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର: ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରକୁ ବନ୍ୟା ପାଇଁ ସତର୍କ କରାଯାଇଛି। ବନ୍ୟା ଯୋଗୁଁ ୧୦ ରୁ୧୨ଟି ତହସିଲ ଅଞ୍ଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏଥିପାଇଁ କାଲି ଏହି ୪ଟି ଜିଲ୍ଲାର ସବୁ ସରକାରୀ ଛୁଟି ବାତିଲ ହୋଇଛି। NDRF, ଓଡ୍ରାଫ୍‌ ଟିମ୍‌ ସହ ସଜାଗ ରହିଥିବା କଥା କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି।

ବର୍ଷା ଛା଼ଡ଼ିଛି, ହେଲେ ବଢ଼ିଯାଇଛି ଦୁର୍ଦ୍ଦଶା। ୩ ଦିନର ଲଗାଣ ବର୍ଷାରେ ବୈତରଣୀ ଉଗ୍ର ରୂପ ଧାରଣ କରିବାରୁ ତାର ପ୍ରଭାବ ପଡ଼ିଛି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ଭଦ୍ରକ, ଧାମନଗର, ଭଣ୍ଡାରୀପୋଖରୀ ଓ ତିହିଡ଼ି ଅଞ୍ଚଳରେ। ରାଜମୁକୁନ୍ଦପୁର ଗାଁରେ ୭୨ ଘଣ୍ଟାରୁ ଅଧିକ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ଶହ ଶହ ପରିବାର ବୈତରଣୀ ପାଣିରେ ବୁଡ଼ିଛି ଘରଦ୍ୱାର। ଗାଁ ଦାଣ୍ଡ ଛୋଟ ବଡ଼ ପ୍ରାୟ ୧୦୦ରୁ ଅଧିକ ଗାଁ ଏବେ ପାଣି ଘେରରେ। ଏପଟେ ଅାଖୁଅାପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ବହୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। ସାଳନ୍ଦୀ ଓ ଏହାର ଶାଖା ନଦୀ ଗୁଡ଼ିକରେ ବି ପାଣି ବଢ଼ୁଥିବାରୁ ତଳିଅା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି ପ୍ରଶାସନ।

ଏପଟେ ଲଗାଣ ବର୍ଷା ଯୋଗୁଁ ଗୋବରୀ ନଦୀରେ ବନ୍ୟା ଅାସିବାରୁ କେନ୍ଦ୍ରାପଡ଼ା ବ୍ଲକ୍‌ର ଶହ ଶହ ଏକର ଚାଷ ଜମି ବୁଡ଼ି ଯାଇଛି। ଫସଲ ଜମିରେ ସମୁଦ୍ର ଭଳି ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ପଟ୍ଟାମୁଣ୍ଡାଇ ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାରୁ ମୁଣ୍ଡରେ ହାତ ଦେଇଛନ୍ତି ଧାନଚାଷୀ। ସେହିଭଳି ବୈତରଣୀ ଓ ଖରସ୍ରୋତାର ବନ୍ୟା ଜଳ ପ୍ରବେଶ କରିବାରୁ ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଞ୍ଛାରପୁର ବ୍ଲକର ୨୪ଟି ପଞ୍ଚାୟତର ୫୦ରୁ ଅଧିକ ଲୋକ ବିପନ୍ନ ହୋଇଛନ୍ତି। ଏଣେ ଲଗାଣ ବର୍ଷା ଯୋଗୁଁ ପାରଦୀପରେ କିଛି ବସ୍ତିରେ ବି ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ଘରେ ପାଣି ପଶି, ଝାଟିମାଟି ଘର ଭୁଶୁ଼ଡ଼ି ପଡ଼ିବାରୁ ରାସ୍ତାରେ ଅାଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ।

ତେବେ ଏ ବନ୍ୟା ଦାରୁଣ ଦୁଃଖ ଅାଣିଛି ଭଦ୍ରକ ଚାନ୍ଦବାଲି ବରେହିଁପୁର ଗାଁର ନିରଞ୍ଜନ ନାୟକଙ୍କ ପରିବାର ପାଇଁ। ଘରେ ଅାଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଥିବା ବେଳେ ସେହି ପାଣିରେ ପଡ଼ି ତାଙ୍କ ବର୍ଷକର ଶିଶୁପୁତ୍ରର ଜୀବନ ଯାଇଛି। ଏହି ଖବର ସ୍ଥାନୀୟ ଅ଼ଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

You might also like