‘ଦୁଷ୍କର୍ମ ଅଭିଯୋଗ ନେଇ ମୋତେ ମିଛରେ ବଦନାମ କରାଯାଉଛି’

ଆଠକମଲ୍ଲିକ: ଏକ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ ସାହୁ । କିଶୋରନଗର ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣାରେ ସଂଜୀବଙ୍କ ରୋଷେୟା ଅଭିଯୁକ୍ତ ଅଛନ୍ତି । ତେବେ ଏନେଇ ସେ ପୋଲିସ ଉପରେ ଚାପ ପକାଉଛନ୍ତି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ସଂଜୀବ କହିଛନ୍ତି ।

ଗତ କିଛି ମାସ ତଳେ କିଶୋରନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅଙ୍ଗପଡା ଗାଁର ରାଜୀବ ଲୋଚନ ପ୍ରଧାନ ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୩ମାସ ପରେ ବି ରାଜୀବକୁ ପୋଲିସ ଗିରଫ କରିପାରିନି । ତେବେ ରାଜୀବ ପୂର୍ବରୁ ସଂଜୀବଙ୍କ ଘରେ ରୋଷେଇ କରୁଥିଲା ।

ଏଣୁ ସଂଜୀବଙ୍କ ଚାପରେ ପୋଲିସ ତାକୁ ଗିରଫ କରୁନଥିବା ଚର୍ଚ୍ଚା ହେଉଛି । ହେଲେ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ପୀଡ଼ିତା କିଭଳି ନ୍ୟାୟ ପାଇବେ ସେ ନେଇ ପୋଲିସ ଅଧିକାରୀଙ୍କୁ ଅବଗତ କରାଇଥିବା ସଂଜୀବ କହିଛନ୍ତି ।

You might also like