ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍!

ଭୁବନେଶ୍ୱର: ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍! ରବୀନ୍ଦ୍ର ଜେନା ହିଁ ସ୍ୱରୂପଙ୍କ ଟିକଟ୍ କରାଇଛନ୍ତି। ସ୍ୱରୂପ ପ୍ରାର୍ଥୀ ହେବା ଦ୍ୱାରା ବାଲେଶ୍ୱରରେ ବିହାର ଭଳି ରାଜନୀତି ହେବ। ବିଜେଡି-ବିଜେପି ଏକ୍। ଜୀବନ ପ୍ରଦୀପଙ୍କ ଏହି ଭାଇରାଲ୍ ଅଡିଓ ସାମ୍ନାକୁ ଆସିବାପରେ ତେଜିଛି ରାଜ୍ୟ ରାଜନୀତି।

ଏହା ଭିତରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ଓ ପରେ ଦଳ ଛାଡ଼ିଛନ୍ତି। ଜୀବନ ସେ ପ୍ରଥମେ ବିଜେପିରୁ ବିଧାୟକ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେଡିରେ ଯୋଗ ଦେଇ ୨୦୦୯ ଓ ୧୪ରେ ବିଧାୟକ ହୋଇଥିଲେ। ତେବେ ଭାଇରାଲ୍ ଅଡିଓରେ ଉଠିଥିବା ବିଜେଡି-ବିଜେପି ଏକ୍ ପ୍ରସଙ୍ଗକୁ ନେଇ ଉଭୟ ଦଳକୁ ଘେରିଛି କଂଗ୍ରେସ୍।

ପୂର୍ବରୁ କଂଗ୍ରେସ୍ ବି ସମାନ ଅଭିଯୋଗ ଆଣିଥିଲା, ଯାହାକି ଏବେ ଭାଇରାଲ ଅଡିଓରେ ବି ରହିଛି। ଚିଟ୍‌ଫଣ୍ଡ ସ୍କାମ୍ ଭଳି ଅନେକ ଦୁର୍ନୀତିରେ ସୁରକ୍ଷା ପାଇଁ ବିଜେଡି, ବିଜେପି ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ୍ ବିଧାୟକ ସୁର ରାଉତରାୟ।

ଅଣଓଡିଆ ଅଫିସରମାନେ ମଧ୍ୟ ଦୁର୍ନୀତି କରୁଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସୁର। ବିଜେପି କହିଛି ଜଣେ ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା ସମୀଚୀନ ନୁହଁ। ସେପଟେ ବିଜେଡିର କହିବା କଥା ହେଲା, ଜୀବନ ବିଜେଡିରୁ ଟିକଟ୍ ପାଇବା ପାଇଁ ଆଶାୟୀ ଥିଲେ, ଟିକଟ ନମିଳିବାରୁ ଦୁଃଖରେ ଏଭଳି ମତ ରଖିଛନ୍ତି।

ସେପଟେ ଭାଇରାଲ ଅଡିଓରେ ଥିବା କଥାବାର୍ତ୍ତାକୁ ସ୍ୱୀକାର କରିଛନ୍ତି ଜୀବନ। ନିଜର ମନ୍ତବ୍ୟକୁ ନେଇ ସେ ଅନୁତପ୍ତ ବୋଲି କହିଛନ୍ତି। କର୍ମୀଙ୍କ ମନକଥା ଜାଣିବା ପାଇଁ ସେ କଥା ହୋଇଥିଲେ ଓ ଅଡିଓରେ କାଣ୍ଟଛାଟ କରାଯାଇଥିବା ସଫେଇ ଦେଇଛନ୍ତି ଜୀବନ।

୧୯ ନିର୍ବାଚନ ପରେ ବିଜେଡି-ବିଜେପି ମଧୁର ସଂପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜେଡି ବିରୋଧରେ ସେଭଳି ବୟାନବାଜି କିମ୍ବା ଗର୍ଜନ କରୁନାହାଁନ୍ତି। ଏବେ ଜୀବନଙ୍କ ଅଡିଓ ଏହି ଚର୍ଚ୍ଚାକୁ ବଳ ଯୋଗାଇଛି।

You might also like