ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ
ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ବାଲେଶ୍ୱର ଉପନିର୍ବାଚନ ପରେ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା।ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା।
ବାଲେଶ୍ୱର ଉପନିର୍ବାଚନରେ ବିଜେଡିରୁ ଟିକେଟ୍ ନପାଇବା ପରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଜୀବନ ପ୍ରଦୀପ। ଏହାପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ବହିଷ୍କାର କରିଥିଲା। ଏହାପରେ ସେ କେଉଁ ଦଳରେ ସାମିଲ ହେବେ ଏବଂ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ କଣ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଆଜି ବିଜେପିରେ ସାମିଲ ହୋଇ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜୀବନ ପ୍ରଦୀପ।
ସୂଚନାଥାଉ କି, ପୂର୍ବରୁ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିଲେ ଜୀବନ ପ୍ରଦୀପ। ତେବେ ପୁଣିଥରେ ସେ ବିଜେପିକୁ ଫେରିଛନ୍ତି। ଆଜି ବିଜେପିକୁ ଫେରିବା ପରେ ଜୀବନ କହିଛନ୍ତି, ତାଙ୍କର ଘର ବାହୁଡ଼ା ହୋଇଛି। ଘରକୁ ଫେରିଥିବାରୁ ସେ ବହୁତ ଖୁସି ଅଛନ୍ତି । କୌଣସି ସର୍ତ୍ତ ନରଖି ଦଳକୁ ଫେରିଥିବା କହିଛନ୍ତି ଜୀବନ ପ୍ରଦୀପ ଦାସ ।
୨୦୧୯ରେ ବିଜେଡି ଟିକେଟ୍ରୁ ବାଲେଶ୍ୱରରେ ଲଢ଼ି ପରାଜିତ ହୋଇଥିଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ଉପନିର୍ବାଚନରେ ସେ ଟିକେଟ ଆଶାୟୀ ଥିଲେ। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଟିକେଟ ଆଶାୟୀ ଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତଃକନ୍ଦଳ ପରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯାଇ ଏହାର ସମାଧାନ କରିଥିଲେ। ଶେଷରେ ନୂଆ ମୁହଁ ଭାବେ ସ୍ୱରୂପ ଦାସଙ୍କୁ ଟିକେଟ୍ ଦେଇଥିଲା ବିଜେଡି।