‘ପୂର୍ବତନ ବିଧାୟକ ହୋଇ ଜାଣି ପାରିଲି, ସାଂସଦ ହୋଇ ଜାଣି ପାରିଲେନି ?’

କଟକ: କଟକ ଖାନ୍‌ନଗରରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍ ବିବାଦ ଦିନକୁ ଦିନ ଘନଉଛି। ଏହି ବସ୍‌ ଟର୍ମିନାଲ ନେଇ ସାଂସଦ ଭର୍ତ୍ତୃହରି ମହତାବ୍‌ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି ଜାଣି ନଥିବା ମନ୍ତବ୍ୟ ଉପରେ ଦେବାଶିଷ କହିଛନ୍ତି ‘ଜଣେ ସରକାରୀ ଦଳ ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ ‘

ସେ କହିଛନ୍ତି,  ‘ପୂର୍ବତନ ବିଧାୟକ ହୋଇ ମୁଁ ଜାଣିପାରିଲି । ହେଲେ ସେ କିପରି ଜାଣିପାରିଲେନି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି।’ ସେ କହିଛନ୍ତି, ଭର୍ତ୍ତୃହରି ଜଣେ ବରିଷ୍ଠ ସାଂସଦ। ସେହି ଆସନରୁ ୬ ଥର ସାଂସଦ ହେଲେଣି।  ଜିଲ୍ଲାପାଳ ମଧ୍ୟ ତାଙ୍କୁ ଏ ନେଇ ଅବଗତ କରିଥିବା କହିଛନ୍ତି । ଏହା ସତ୍ତ୍ୱେ ସେ ଯଦି କହୁଛନ୍ତି ମୁଁ ଜାଣିନି ତେବେ ଏହା ଉପରେ ଟିପ୍ପଣୀ ଦେବେ ନାହିଁ ବୋଲି ଦେବାଶିଷ କହିଛନ୍ତି।  ଟର୍ମିନାଲକୁ ଯିଏ ବିରୋଧ କରୁଛନ୍ତି ସେମାନେ ଜମି ମାଡ଼ି ବସିଥିବା ଲୋକ ବୋଲି ମଧ୍ୟ ଦେବାଶିଷ ଆକ୍ଷେପ କରିଛନ୍ତି । ତେବେ ଦେବାଶିଷଙ୍କ ମତ ଉପରେ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଥାଉ କି,  କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନେଇ ଆପତ୍ତି ଉଠାଇଥିଲେ ଖୋଦ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହ ଆଲୋଚନା ହୋଇ ନଥିବା ଅଭିଯୋଗ ଆଣିଥିଲେ ଭର୍ତ୍ତୃହରି। କ୍ଷେତ୍ର ପରିଦର୍ଶନ ନକରି, ଗୁଗୁଲ ମ୍ୟାପ୍ ତଥ୍ୟକୁ ଆଧାର କରି ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ବସ୍‌ ଟର୍ମିନାଲ ନିର୍ମାଣ ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗରେ କହିଥିଲେ । ଏ ସଂପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ ମତ ଦେଇଥିଲେ।

ସେତିକି ନୁହେଁ, ଖାନନଗରରେ ବସ୍ ଟର୍ମିନାଲ୍ ନିର୍ମାଣ, ଭୌଗୋଳିକ ଦୃଷ୍ଟିରୁ ବି ଠିକ୍ ନୁହେଁ ବୋଲି କହିଥିଲେ ଭର୍ତ୍ତୃହରି। ଗୋପାଳପୁରରେ ବସଷ୍ଟାଣ୍ଡ ନିର୍ମାଣ ଲାଗି ୨୦୧୩ରେ ନିଷ୍ପତ୍ତି ହୋଇଥିଲା। ତେବେ କାହା ସ୍ୱାର୍ଥରେ ଓ କଣ ପାଇଁ ଏହାକୁ ଖାନନଗର ସ୍ଥାନାନ୍ତର କରାଗଲା ବୋଲି ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଥିଲେ। ନିଜ ଦଳର ସାଂସଦ ଆପତ୍ତି ଜଣାଇବା ପରେ ବିବାଦ ଆହୁରି ତେଜିଥିଲା । ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

You might also like