ବିଜେଡିରୁ ଦାମ ରାଉତ ବହିଷ୍କୃତ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ଦଳରୁ ବହିଷ୍କୃତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବହିଷ୍କାର କରାଯାଇଥିବା ପ୍ରେସ୍‌ମିଟ୍‌ରେ କହିଲା ବିଜେଡି।  ଏ ଖବର ପ୍ରଚାରିତ ହେବା ପରେ ଓଡିଶା ରାଜନୀତି ସରଗରମ୍ ହୋଇଉଠିଛି ।

ଗତକାଲି ଦାମଙ୍କ ସମର୍ଥନରେ ଏରସମା, କୁଜଙ୍ଗ ଓ ପାରାଦୀପରେ କିଛି ଲୋକ ବିଜେଡି ଓ ଦଳୀୟ ନେତାଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଘଟଣାକୁ ବିଜେଡି ସୁପ୍ରିମୋ ଗୁରୁତ୍ୱର ସହ ନେଇ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଥିବା ଅନୁମାନ କରାଯାଉଛି। ଯଦିଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାନା ଦୁର୍ନୀତି ଅଭିଯୋଗ ଆଣି ଦାମୋଦର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ।ସ୍ଥିତି ଏମିତି ହୋଇଥିଲା ଯେ, ବିଜେଡି ତାଙ୍କ ବିରୋଧରେ ଖୁବ୍ ଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ଆଜି ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯିବା ସଂପର୍କରେ ଘୋଷଣା କରାଯାଇଛି।

ଆଜି  ବିଧାନସଭା ଗୃହ ବାହାରେ ବିରୋଧୀଙ୍କ ଭୂମିକାକୁ ସମାଲୋଚନା କରିଥିଲେ ଦାମୋଦର ରାଉତ। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଭଲ ଲୋକ କହି ଅନେକ ପ୍ରଂଶସା କରିଥିବା ବେଳେ, ଜଣେ ଅଫିସର ଓ ତିନି ବିଧାୟକଙ୍କୁ ପୁଣି ଟାର୍ଗେଟ୍ କରିଥିଲେ। ଦାମଙ୍କ ମନ୍ତବ୍ୟଠାରୁ ନିଜକୁ ଦୂରେଇ ରଖୁଥିଲା ବିଜେଡି। ଏ ନେଇ ମୁଖପାତ୍ର ମାନେ ବି ମୁହଁ ଖୋଲୁନଥିଲେ। ଦଳ ବିରୋଧୀ କାମ ପାଇଁ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଜେଡିର ଗୋଟିଏ ଗୋଷ୍ଠୀର ଅଭିଯୋଗ ପରେ ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା ଥିଲା।

You might also like