ପ୍ରବାଦ ପୁରୁଷଙ୍କ ନାଁକୁ ନେଇ ବିଜୁ ସମତାକ୍ରାନ୍ତି ଦଳ ଗଢ଼ିଲେ ଦାମ

ଭୁବନେଶ୍ୱର: ଦାମଙ୍କ ନୂଆ ଦଳର ନାଁ ହେଲା, ‘ବିଜୁ ସମତାକ୍ରାନ୍ତି ଦଳ’। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ଏହି ନାଁ ଘୋଷଣା କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ଯଜ୍ଞେଶ୍ୱର ବାବୁଙ୍କ ଉପସ୍ଥିତିରେ ଦାମ ତାଙ୍କ ନୂଆ ଦଳର ନାଁ ଘୋଷଣା କରିଛନ୍ତି।

ରାଜ୍ୟରେ ୧୮ ବର୍ଷର ଗତାନୁଗତିକ ଧାରା ବଦଳାଇବା ସହିତ ରାଜ୍ୟ ରାଜନୀତିର ଇତିହାସ କଡ଼ ଲେଉଟାଇବା ଆଶା ଏବଂ ଆକାଂକ୍ଷା ସହ ଜନ୍ମ ନେଇଛି ଏହି ଦଳ।

ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀଙ୍କୁ ରାଜି କରାଇ ସମତାକ୍ରାନ୍ତି ଦଳରେ ବିଜୁ ନାଁକୁ ଯୋଡ଼ି ବିଜୁ ସମତାକ୍ରାନ୍ତି ଦଳ ନାଁରେ ନାମିତ କରିଛନ୍ତି ଦାମ।

ଆଜି ନୂଆ ଦଳର ନାଁ ଘୋଷଣା ଅବସରରେ ଦାମ କହିଛନ୍ତି, ବିଜୁ ବାବୁଙ୍କ ଆଦର୍ଶ ହିଁ ହେବ ଏହି ଦଳର ମେରୁଦଣ୍ଡ। କୁ ଶାସନର ବିଷବଳୟରୁ ରାଜ୍ୟବାସୀଙ୍କୁ ମୁକ୍ତ କରିବା ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ଦାମ କହିଛନ୍ତି।

ଏହି ଅବସରରେ ଦାମ ପୁଣି ବାଣ ମାରି ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରିବା ସହ ରାଜ୍ୟ ସରକାରଙ୍କୁ ବି କଡ଼ା ସମାଲୋଚନା କରିଛନ୍ତି।

ବିଭିନ୍ନ ସମୟରେ ବିଜେଡି ଏବଂ  ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ବିରୋଧରେ ମୁହଁ ଖୋଲିବାରୁ ଗତ ସେପ୍ଟେମ୍ବର୍‌ ୧୨ ତାରିଖରେ ଦାମଙ୍କୁ ଦଳରୁ ବିଦା କରିଥିଲେ ନବୀନ।

ତେବେ ଅନ୍ୟ କୌଣସି ରାଜନୈତିକ ଦଳ ସହ ବିଜୁ ସମତାକ୍ରାନ୍ତି ହାତ ମିଳାଇବ ନା ନାହିଁ ? ଦଳରେ ଆଉ କେଉଁମାନଙ୍କୁ ସାମିଲ୍‌ କରାଯିବ ? ସେ ନେଇ ସ୍ପଷ୍ଟ କରି ନଥିବାବେଳେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଏବଂ ତାଙ୍କ ଭାଇ ପ୍ରସନ୍ନ ମିଶ୍ରଙ୍କ ନାଁ ନେଇଥିଲେ ଦାମ।

କିନ୍ତୁ ଓଟିଭିକୁ ପ୍ରତିକ୍ରିୟା ଦେଇ ଦାମଙ୍କ କଥାକୁ ସଫା ସଫା ମନା କରିଦେଇଛନ୍ତି ପ୍ରକାଶ ମିଶ୍ର।

ଅନ୍ୟପଟେ ଦାମଙ୍କ ନୂଆ ଦଳ ସମ୍ପର୍କରେ କଂଗ୍ରେସ ଏବଂ ବିଜେପି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିବାବେଳେ କୌଣସି ଫରକ ପଡ଼ିବନି ବୋଲି ବିଜେଡି କହିଛି।

ବିଜୁ ଶବ୍ଦକୁ ଯୋଡ଼ି ଗଠନ କରାଯାଇଥିବା ଏହି ନୂଆଦଳ ବିଜେଡିର କିଛି ନେତାଙ୍କୁ ଆକୃଷ୍ଟ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ତେବେ ଅପେକ୍ଷା ଆଗକୁ କ’ଣ ଘଟୁଛି।

You might also like