ଭୁବନେଶ୍ୱର: ଗୋଟିଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବା ବେଳେ, ଅନ୍ୟପଟେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ଜଗଦୀଶ ଚନ୍ଦ୍ର ମହାନ୍ତି ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି।
ଭାରତୀୟ ପ୍ରଶାସନିକ ସେବାର ସେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ୭୦ ଦଶକରେ ରାଜ୍ୟରେ ଛାତ୍ର ରାଜନୀତିରେ ନିଜକୁ ସାମିଲ କରିଥିଲେ ଜଗଦୀଶ ମହାନ୍ତି।
୧୯୭୭ ମସିହାରେ ବାଣୀବିହାରରେ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ସେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ।
‘ବହୁତ ଦିନରୁ ଇଛା ଥିଲା କି, ନିଜ ରାଜ୍ୟରେ ରହି କିଛି କରିବା ପାଇଁ। ସେଥିପାଇଁ ଏକ ସୁଯୋଗ ମିଳିଛି। ତେଣୁ ଆମକୁ ନିଜର ଦାୟିତ୍ୱ ସୁଧାର କରିବାକୁ ପଡ଼ିବ। ଯଦି ବୁଦ୍ଧିଜୀବୀ ହେଉ କି ଭଲ ଲୋକ ହୁଅନ୍ତି ଯଦି ରାଜନୀତିକୁ ନ ଆସିବେ, କାଲି ଯଦି ଏହା ରାଜନୀତିକ ଗୁଣ୍ଡାମାନଙ୍କ ପାଖକୁ ଚାଲିଯାଏ ତେବେ ନିଜକୁ ହିଁ ଦୋଷ ଦେବାକୁ ପଡ଼ିବ। ତେଣୁ ରାଜନୀତିକୁ ଆସିବାକୁ କୌଣସି ପ୍ରକାରେ ନିଜକୁ ପଛ ଘୁଞ୍ଚା ଦେବା ଉଚିତ୍ ନୁହେଁ’ ବୋଲି ଜଗଦୀଶ ମହାନ୍ତି କହିଛନ୍ତି।