• translate
Odishatv Bureau

ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଅପରାଜିତାଙ୍କ ଯୋଗଦାନ ବିଜେପିକୁ ବଳ ଦେବ ଏବଂ ସଙ୍ଗଠନ ମଧ୍ୟ ମଜବୁତ୍ ହେବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି। ଜଣେ ଦକ୍ଷ ଆଇଏଏସ୍ ଭାବେ ସେ ପରିଚିତ। ସେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଥିଲେ।

ବିଏମ୍‌ସି କମିଶନର ଥିବା ବେଳେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଗଣଶିକ୍ଷା ବିଭାଗର ସଚିବ ଭାବେ ମଧ୍ୟ ସେ ଉଲ୍ଲେଖନୀୟ ସଂସ୍କାର ଆଣିଥିଲେ।

Other Stories