ଅନ୍ୟ ଜାତିରେ ଝିଅ ବାହା କରି ଅକଳରେ ପୂର୍ବତନ ବିଧାୟକ ସଦନ ନାୟକ

ନବରଙ୍ଗପୁର : ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନକୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି।

ତେବେ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ କେବଳ ସଦନ ନୁହଁନ୍ତି, ତାଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୂଜବଳ ମାଝୀ ଓ କୋଟପାଡ଼ ବିଧାୟ ଚନ୍ଦ୍ରଶେଖର ମାଝୀଙ୍କ ବିରୁଦ୍ଧରେ ବି କରାଯାଇଛି କାର୍ଯ୍ୟାନୁଷ୍ଠାନ। ଏ ତିନି ଜଣଙ୍କୁ  ସାମୟିକ ବାସନ୍ଦ କରିଛି ଭତରା ସମାଜ।

ସେପଟେ ଅନ୍ୟ ଜାତିରେ ଝିଅ ବାହାଘର ପାଇଁ ନୁହେଁ, ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଅଭିସନ୍ଧି ରଖି ତାଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ସଦନ ଅଭିଯୋଗ କରିଛନ୍ତି। ସେହିପରି ବାହାଘର ଭୋଜିରେ ଯୋଗ ଦେଇଥିବା ସଂପ୍ରଦାୟର ଅନ୍ୟ ୩ ନେତା ବି ସେମାନଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି।

ଆଦିବାସୀ ସମାଜରେ ଏ ଜାତି ବିବାଦ ଆଗାମୀ ଦିନରେ ରାଜନୈତିକ ପାଣିପାଗକୁ କିଭଳି ପ୍ରଭାବିତ କରୁଛି ତାହା ଦେଖିବା କଥା।

You might also like