ବିଜେଡି ନେତା କରୋନା ସୁପର ସ୍ପ୍ରେଡର: ଦେବାଶିଷ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ। ବିଜେଡି ନେତାଙ୍କୁ ସୁପର ସ୍ପ୍ରେଡର କହି କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଅଭିଯୋଗ କରିଛନ୍ତି ଯେ, ବିଜେଡି ନେତା ନିୟମ ଭାଙ୍ଗୁଛନ୍ତି। ଆଉ ଏଥିରେ ତଳିଆ ଅଫିସରମାନେ ସହଯୋଗ କରୁଛନ୍ତି। ତଳିଆ କର୍ମଚାରୀ ଜୀବନ ବଞ୍ଚାଇବା ଜାଗାରେ ଚାକିରି ବଞ୍ଚାଉଛନ୍ତି ବୋଲି ଦେବାଶିଷ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଙ୍କୀ ବିଧାୟକ ଶତାଧିକ ଲୋକଙ୍କୁ ନେଇ ଜନ୍ମଦିନ ପାଳିଲେ। ଜିଲ୍ଲାପାଳଙ୍କୁ ଲେଖି ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ହେଲାନି। ଏପରିକି ପୂର୍ବତନ ବିଧାୟକ ଶତାଧିକ ଲୋକଙ୍କୁ ନେଇ ପେଟ୍ରୋଲ ପମ୍ପ ଉଦଘାଟନ କଲେ। କିନ୍ତୁ ଥାନାରେ ଏତଲା ଦେଲେ ଏତଲା ନେଉ ନାହାନ୍ତି। ଯଦି କଂଗ୍ରେସ ନେତା ସୁର ରାଉତରାୟ ଓ ବିଜେପି ନେତାଙ୍କ ବିରୋଧରେ ମାମଲା ହୋଇପାରୁଛି ତେବେ ବିଜେଡି ନେତାଙ୍କ ବିରୋଧରେ କାହିଁକି ମାମଲା ହେଉନାହିଁ ? ବିଜେଡି ବିଧାୟକ କ’ଣ ଆଇନ ଉର୍ଦ୍ଧ୍ଵରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛି କଂଗ୍ରେସ। ବର୍ତ୍ତମାନ ସମୟରେ ଗଣମାଧ୍ୟମ ହିଁ ଗରିବ ଲୋକଙ୍କ ଆଖି ଓ କାନ ସାଜିଛି। ତେଣୁ ସାମ୍ବାଦିକମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ଦାବି କରିଛନ୍ତି ଦେବାଶିଷ ପଟ୍ଟନାୟକ। 

ଏଥିସହିତ ଏ ପର୍ଯ୍ୟନ୍ତ ସଙ୍ଗରୋଧରୁ ଫେରିଥିବା ଲୋକଙ୍କୁ ୨୦୦୦ ଟଙ୍କା ସହୟତା ମିଳିନଥିବା କଂଗ୍ରେସ ଅଭିଯୋଗ କରିଛି। କରୋନା ମୁକାବିଲା କରିବା ପାଇଁ ଠୋସ ପଦକ୍ଷେପ ନିଅନ୍ତୁ। ଦୀପ ଘଣ୍ଟ ବାଡ଼େଇଲେ କରୋନା ନିୟନ୍ତ୍ରଣ ହେବନି। ଏଭଳି ସ୍ଥିତିରେ ଆମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଟେକି ଦେଇଛୁ ବୋଲି କଂଗ୍ରେସ କହିଛି। ତେବେ ତେବାଶିଷଙ୍କର ଏପରି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳି ପାରିନାହିଁ।

 

 

You might also like