ଚା’ ପିଉଥିବା ବେଳେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୁଳି କରି ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ହତ୍ୟା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି। 

ସୂଚନା ଅନୁସାରେ, ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ସୁମଣ୍ଡଳ ଗାଁ ଛକ ନିକଟରେ ଆଜି ସକାଳେ ଦେବରାଜ ଚା’ ପିଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ଦେବରାଜଙ୍କୁ ଗୁଳିମାଡ଼ ଦେଖି ପାଖରେ ଥିବା ଅନ୍ୟଲୋକମାନେ ଭୟରେ ପଳାଇ ଯାଇଥିଲେ। ଅନ୍ୟପକ୍ଷେ, ଗୁଳି କରି ଦୁର୍ବୃତ୍ତମାନେ ଖଲ୍ଲିକୋଟ ରାସ୍ତାରେ ଫେରାର ହୋଇ ଯାଇଛନ୍ତି।

ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କୋଦଳାଥାନା ଆଇଆଇସି ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

ଦେବରାଜ ରାଜନୀତିରେ ସମ୍ପୃକ୍ତ ଥିବା ସହ ଏବେ ବାଲି, ଗୋଡ଼ି, ଚିପ୍ସ ଓ ସିମେଣ୍ଟ ବେପାର କରୁଥିଲେ। ଏଣୁ ଏହା ରାଜନୈତକ ଶତ୍ରୁତା ନା ବ୍ୟବସାୟିକ ଶତ୍ରୁତାରୁ ହତ୍ୟା ସେନେଇ ତଦନ୍ତ କରାଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଦେବରାଜଙ୍କ ହତ୍ୟାକୁ ଅତି ସମ୍ବେଦନଶୀଳ ଘଟଣା ଭାବେ ନିଆଯାଇଛି।

 

ଆହୁରି ପଢନ୍ତୁ : ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ

You might also like