ଗୋଠଖଣ୍ଡିଆ ହାତୀ ପାଇଁ କଣ ଥାଏ ବିପଦ ?

ବ୍ରହ୍ମପୁର: ମାତ୍ର ଦୁଇଟା ଦିନରେ କି କିମିଆଁ ଲଗେଇଦେଲା କେଜାଣି। ଆଖିର ଲୁହ ବୋଲ ମାନୁନି। ମା ଭଳି ବୋତଲରେ କ୍ଷୀର ପିଆଉଛନ୍ତି। ଶେଷ ଥର ପାଇଁ ସ୍ନେହବୋଳା ହାତରେ ଛୁଆ ହାତୀକୁ ଆଉଁସି ଦେଉଛନ୍ତି ଫରେଷ୍ଟଗାର୍ଡ ସନ୍ତୋଷ। ସନ୍ତୋଷ ଜାଣିଥିଲେ, ଦିନେ ନା ଦିନେ ଗୋଠଖଣ୍ଡିଆ ଏ ହାତୀଛୁଆକୁ ତାଙ୍କୁ ଛାଡ଼ିବାକୁ ହେବ ପ୍ରକୃତି କୋଳକୁ। ହେଲେ ସେ ଦିନ ଯେ ଏତେ ଜଲ୍‌ଦି ଆସିବ, ଭାବିପାରି ନଥିଲେ। ଖାଲି ସନ୍ତୋଷ ନୁହନ୍ତି ହାତୀ ଛୁଆଟିକୁ ଗଞ୍ଜାମରୁ ଢେଙ୍କାନାଳ କପିଳାସସ୍ଥିତ ଉଦ୍ଧାର କେନ୍ଦ୍ରକୁ ନେବାବେଳେ ବନ ବିଭାଗ କର୍ମଚାରୀଙ୍କଠୁ ନେଇ ସ୍ଥାନୀୟ ବାସିନ୍ଦା, ସମସ୍ତଙ୍କ ଆଖି ଛଳଛଳ।

ମୋ ପରିବାରକୁ ଛାଡ଼ି ତାକୁ ମୁଁ ନିଜେ ସନ୍ତାନ ଭାବେ ଗ୍ରହଣ କରିଥିଲି। ତା ସହିତ ଏତେ ଶୀଘ୍ର ଭଲପାଇବା ହୋଇଯିବ, ମୁଁ ଜାଣିପାରି ନଥିଲି। ତାର ମାଡ଼ ହୋଇଯାଇଥିବା ଜାଗାରେ ଚିକିତ୍ସା କରିଥିଲି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତାକୁ ତ ବିଦାୟ ଦେବାକୁ ପଡିବ। ମୋତେ ବହୁତ ଦୁଃଖ ଲାଗୁଛି।
-ସନ୍ତୋଷ କୁମାର ସାହୁ, ଫରେଷ୍ଟ ଗାର୍ଡ

ଦୁଇ ଦିନ ତଳେ ଗଞ୍ଜାମ ସୋରଳ ଅଞ୍ଚଳରେ ହାତୀପଲ ସହ ହ୍ରଦପାର ବେଳେ ଗୋଠରୁ ଅଲଗା ହୋଯାଇଥିଲା ଏଇ ହାତୀଛୁଆ। ତାପରେ ଲୋକେ ତାକୁ ଉଦ୍ଧାର କରି ବାରମ୍ବାର ପଲରେ ଛାଡ଼ିବାକୁ ଉଦ୍ୟମ କରିଥିଲେ, କିନ୍ତୁ ପ୍ରତିଥର ବିଫଳ ହେବା ପରେ ବନବିଭାଗ ତାକୁ ଟମଣା ନର୍ସରୀରେ ରଖିଥିଲେ। ତା ପରଠୁ ବନକର୍ମଚାରୀଙ୍କ ସେବା ସୁଶ୍ରୁସାରେ ଟିକେ ସୁସ୍ଥ ହେବା ପରେ ତାକୁ ପ୍ରାକୃତିକ ବାସସ୍ଥଳୀରେ ଛାଡ଼ିବାର ଉଦ୍ୟମ ଆରମ୍ଭ ହୋଇଛି। ବନବିଭାଗର ସୂଚନା ଅନୁଯାୟୀ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିବା ପରେ ସେଠି ଆଗ କ୍ୱାରେଣ୍ଟିନ୍‌ରେ ରହିବ ଏ ହାତୀ ଛୁଆ।

ଯେହେତୁ ସେ ଛୋଟ ଛୁଆଟା, ତାର ଏବେ ସମ୍ବେଦନଶୀଳ ସମୟ। ତାକୁ ସେଥିପାଇଁ ଆମେ ଅଲଗା ଜାଗାରେ ରଖିଲୁ। ତାକୁ ଏବେ କ୍ୱାରେଣ୍ଟିନ୍‌ରେ ରଖାଯିବ। ଆସନ୍ତା ମାସ ତା ପାଇଁ ଗୁରୁତ୍ୱପୂର୍ଣ୍ଣ, ଯଦି ଆସନ୍ତା ମାସରେ କୌଣସି ନ ପହଞ୍ଚେ, ତେବେ ଆଉ ଭୟଭୀତ ଆଶଙ୍କା ରହିବ ନାହିଁ। 
-ପ୍ରକାଶ ଚାନ୍ଦ ଗୋଗିନେନୀ, ଡିଏଫ୍ଓ, ଢେଙ୍କାନାଳ

ତେବେ ରାଜ୍ୟରେ ହାତୀ ଛୁଆ ଗୋଠଖଣ୍ଡିଆ ହେବାର ନଜିର ଅନେକ। ୨୦୧୩ରେ କୋରାପୁଟ ବନାଞ୍ଚଳରୁ ଉଦ୍ଧାର ହାତୀ ଛୁଆ କମଳାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ଚିକିତ୍ସା କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା। ପ୍ରାୟ ୬ ବର୍ଷ ଅନ୍ୟ ହାତୀଙ୍କ ମେଳରେ ସ୍ୱଚ୍ଛନ୍ଦରେ ଜୀବନ ବିତାଇବା ପରେ ଘାତକ ହାର୍ପିସ ଭୂତାଣୁ ତାର ଜୀବନ ନେଇଥିଲା। ସେହିଭଳି ୨୦୦୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡ଼ିଓ ପରିସରରେ ମାଠୁ ଅଲଗା ହାତୀ ଛୁଆ କଳିଙ୍ଗାକୁ ଉଦ୍ଧାର କରି ୪୦ ଦିନ ପରେ ପଲରେ ମିଶିବାକୁ ଦିଆଯାଇଥିଲା ହେଲେ ଶାରୀରିକ ଅସୁସ୍ଥତା ପାଇଁ କିଛିଦିନ ପରେ ତାର ବି ମୃତ୍ୟୁ ଘଟିଥିଲା। ତେବେ ବିଶେଷଜ୍ଞଙ୍କ କହିବା କଥା, ଉପଯୁକ୍ତ ଯତ୍ନ ସହ ଛୋଟ ହାତୀକୁ ବଢ଼ାଇଲେ, ଦୀର୍ଘ ବର୍ଷ ପରେ ସେ ପୁଣି ହାତୀ ପଲକୁ ଫେରିବାର ସମ୍ଭାବନା ରହିଛି।

ହାତୀ ଯେତେବେଳେ ବଡ଼ ହୁଏ, ମା’ଠୁ ଅଲଗା ହେଲେ କିଛି ଅସୁବିଧା ନାହିଁ। କିନ୍ତୁ ଏଇ ହାତୀ ଛୁଆ ଅବସ୍ଥାରେ ଅଲଗା ହୋଇଯାଇଛି। ଏହାର ସବୁଠୁ ଅସୁବିଧା ହେଲା, କିଭଳି ଭାବେ ଖାଇବ। ଯେତେବେଳେ ଖାଇବାପିଇବା କଷ୍ଟକର ହେବ, ତେବେ ବଞ୍ଚିବା ବି ଆମ ପାଇଁ ଚ୍ୟାଲେଂଜ ହେବ। ଯଦି ୨-୩ଟି ହାତୀ ପାଖରେ ରହିପାରିବ କିମ୍ବା ମିଶିଯିବ, ତାହାହେଲେ ବିପଦ ଆଶଙ୍କା ଟଳିଯିବ।
-ଅ‍କ୍ଷୟ କୁମାର ପଟ୍ଟନାୟକ, ମୁଖ୍ୟ ବନ ସଂରକ୍ଷକ 

ମଣିଷ ହେଉ କି ହାତୀ, ସେ କାହିଁ ବୁଝିବ ଛନ୍ଦ କପଟ। ଯେଉଁଠି ସ୍ନେହ, ପ୍ରେମ ପାଇବ, ସେଠି ସମସ୍ତଙ୍କୁ ଆପଣେଇବ। ଗୋଠ ଛଡ଼ା ଛୋଟ ହାତୀକୁ ଏବେ ସେଭଳି ଯୋଜନାବଦ୍ଧ ଭାବେ ସୁରକ୍ଷିତ କରି ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି।

 

You might also like