ବାରିପଦା: ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏସବୁ ଭିତରେ ଗତକାଲି ଏକ ଆଶ୍ୱସ୍ତିକର ଖବର ଆସିଥିଲା। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାପଡ଼ିଛି।  ସେଠାରେ ହୋଇଥିବା ବର୍ଷା ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି। ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା ବଡ଼ ଆଶା ସୃଷ୍ଟି କରିଛି।

ବର୍ଷା ହେବା ପରେ ସେଠାରେ ନିଆଁ ଲିଭାଇବା ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ବନ କର୍ମଚାରୀ କେତେ ଖୁସି, ତାର ଝଲକ ଦେଖିବାକୁ ମିଳିଛି ଏଇ ଭାଇରାଲ୍ ଭିଡିଓରେ। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ହେବା ପରେ କିଭଳି ଭାବରେ ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ମହିଳା ଫରେଷ୍ଟର ସ୍ନେହା ଧଳ। ଖୁସିରେ ଆତ୍ମ ବିଭୋର ହୋଇ ସେ ନାଚିବା ସହ ଆକାଶକୁ ଚାହିଁ ପ୍ରାର୍ଥନା କରିଥିଲେ। ବହୁତ ଜୋର୍‌ରେ ବର୍ଷା ହେଉ, ସବୁ ନିଆଁ ଲିଭିଯାଉ ବୋଲି ଖୁସିରେ ଆତ୍ମ ବିଭୋର ସେ କହିଥିଲେ।

https://youtu.be/jtje8g9hIyU

ନିଆଁ, ଧୂଆଁ ଓ ଅସହ୍ୟ ତାତିକୁ ଖାତିର ନକରି ବ୍ଲୋଅର୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ଏହି ମହିଳା ବନ କର୍ମଚାରୀଙ୍କ ବର୍ଷା ପରର ଖୁସି, ତାଙ୍କର ନୁହେଁ ବରଂ ଶିମିଳିପାଳର ଓ ଏଠି ରହୁଥିବା ଅସଂଖ୍ୟା ଜୀବଜନ୍ତୁ ବୃକ୍ଷଲତାଙ୍କ ଖୁସି ବୋଲି କୁହାଯାଇପାରେ।

ଅନ୍ୟପକ୍ଷେ, ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍‌ କରିଛନ୍ତି। ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଏହି କେନ୍ଦ୍ରୀୟ ଟିମ୍ ବୋଲି ଜଣାପଡିଛି।

Other Stories