ହାତୀ ମୃତ୍ୟୁରେ ବ୍ରେକ୍ ଦେବାକୁ ବନ ବିଭାଗର ନୂଆ ପ୍ଲାନ୍ : ଲାଗୁ ହେବ ‘ଗଜବନ୍ଧୁ’ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁସଂଖ୍ୟା ଉପରେ ବ୍ରେକ୍ ଲଗାଇବାକୁ ବନ ବିଭାଗର ନୂଆ ଖସଡ଼ା। ଏଣିକି ହାତୀଙ୍କ ସୁରକ୍ଷାରେ ସାମିଲ ହେବେ ଗଜବନ୍ଧୁ। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ ଚାଲିଛି ମାନସମନ୍ଥନ। ଏଥିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଖସଡ଼ା ଅନୁସାରେ ଏଣିକି ହାତୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମୁତୟନ ହେବେ ସାଧାରଣ ଲୋକେ। ଯେଉଁମାନଙ୍କୁ ଗଜବନ୍ଧୁ ଭାବେ ଆଖ୍ୟା ଦିଆଯିବା ସହ ପାରିଶ୍ରମିକ ବି ମିଳିବ।

ହାତୀ ଆତଯାତ ଅଞ୍ଚଳରେ ଥିବା ରାସ୍ତାରେ ଲାଗିବ ସିସିଟିଭି କ୍ୟାମେରା। ଦଳ ଛାଡ଼ି ଚାଲିଆସି ଉତ୍ପାତ କରୁଥିବା ହାତୀ ଉପରେ ନଜର ରଖିବାକୁ ତା ଦେହରେ ରେଡିଓ କଲାର ଲଗାଇବାକୁ ବି ଯୋଜନା କରାଯାଉଛି।

କିଛି ଦିନ ତଳେ କେନ୍ଦୁଝର ଅଞ୍ଚଳରେ ରାସ୍ତା ପାର ହେଉଥିବା ବେଳେ ବସ୍ ଧକ୍କାରେ ପ୍ରାଣ ହରାଇଥିଲେ ୩ଟି ହାତୀ । ତେଣୁ ରାସ୍ତା ଦୁର୍ଘଟଣାରେ ହାତୀ ମୃତ୍ୟୁର ପୁନରାବୃତ୍ତି ନହେବ, ସେଥିପାଇଁ ହାତୀ ଚଳପ୍ରଚଳ କରୁଥିବା ରାସ୍ତାରେ ସ୍ପିଡ୍ ବ୍ରେକର, ରମ୍ବଲର୍ସ ବ୍ୟବସ୍ଥା କରିବାକୁ ଯୋଜନା ହେଉଛି ଏଥିପାଇଁ ରାଜ୍ୟର ୬୫ଟି ସ୍ଥାନ ଚିହ୍ନଟ ହୋଇଛି।

ସେହିଭଳି ହାତୀ କରିଡର ଦେଇ ଯାଇଥିବା ସମ୍ବଲପୁର-ଅନୁଗୁଳ ରାସ୍ତା ଓ ଆଠଗଡ଼ ଅଞ୍ଚଳରେ କିଛି ରାସ୍ତାରେ ହାତୀଙ୍କ ଚଳାଚଳରେ ବ୍ୟାଘାତ ସୃଷ୍ଟି ନକରିବାକୁ ମୋଟ ୧୯ଟି ସ୍ଥାନରେ ଅଣ୍ଡର ପାସ୍ ଓ ଓଭର ପାସ୍ ରାସ୍ତା ନିର୍ମାଣ ଲାଗି ମଧ୍ୟ NHIକୁ ଚିଠି ଲେଖଛି ବନ ବିଭାଗ।

ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ମୃତ୍ୟୁ ସଂଖ୍ୟା ଉଦବେଗନଜକ ଭାବେ ବଢ଼ିଛି। ଏହି ସମୟ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୫ ଓ ରେଳ ଦୁର୍ଘଟଣାରେ ୨୨ ହାତୀଙ୍କ ଜୀବନ ଯାଇଛି।

You might also like