ଯଦୁପୁର ନାବାଳିକା ହତ୍ୟା ଘଟଣାରେ ଆସିଲା ଫୋରେନ୍ସିକ୍ ରିପୋର୍ଟ; ଫ୍ରକ୍‌ରୁ ମିଳିଥିବା ସିମେନ୍ କାହାର ?

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଉଠିଛି ବଡ଼ ପ୍ରଶ୍ନ। ନାବାଳିକା ଫ୍ରକ୍‌ରୁ ମିଳିଥିବା ସିମେନ୍ କାହାର ? ଏ ପ୍ରଶ୍ନ ଏଇଥିପାଇଁ ଉଠିଛି ଯେ ଫୋରେନ୍ସିକ୍ ଯାଞ୍ଚରୁ  ଜବତ ଫ୍ରକ୍‌ରେ ହ୍ୟୁମାନ୍ ସିମେନ୍‌ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ଏଭଳି ନଷ୍ଟ ହୋଇଯାଇଛି ଯେ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରୁନି। ତେଣୁ ସିମେନା ଅଭିଯୁକ୍ତ ସରୋଜର ନା କାହାର ସେ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି।

ପରୀ ନିଖୋଜର ୧୦ ଦିନ ପରେ ପରୀର ଘର ପଛପଟୁ ଏକ ଅଖା ଭିତରେ କିଛି ହାଡ଼, ଏକ ଫ୍ରକ୍ ଏବଂ  ଗୋଟିଏ ଜିଆଇ ତାର ଜବତ ହୋଇଥିଲା। ଏହାକୁ ଦୀର୍ଘ ଦିନ ପକାଇ ରଖିବା ପରେ କୋର୍ଟରେ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୋଲିସ ଏସବୁକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା।

 

ଆଉ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା। ତେବେ ଜବତ ଫ୍ରକ୍‌ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ। ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ତେଣୁ ଏଭଳି ସ୍ଥିତିରେ ଏସ୍‌ଆଇଟିର ଦାବି ଅନୁଯାୟୀ ଏ ସିମେନ୍ ଯେ ଅଭିଯୁକ୍ତ ସରୋଜ ସେଠୀର ତାହା କିଭଳି ପ୍ରମାଣିତ ହେବ ତାହା ହିଁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି।

ସେପଟେ ନାବାଳିକା ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ରାଜ୍ୟ ସରକାର ନାବାଳିକା ମାମଲାର ତଦନ୍ତଭାର  ସିବିଆଇକୁ ଦେଇଦେବା ଉଚିତ୍ ବୋଲି ଆଜି ଢେଙ୍କାନାଳରେ ଚାଷୀ ସମାବେଶରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏନେଇ ସେ କହିଛନ୍ତି, ନାବାଳିକା ହତ୍ୟା ଘଟଣାର ତଦନ୍ତକୁ ନେଇ ବହୁ ସଂଶୟ ପ୍ରକାଶ ପାଇଲାଣି। ନ୍ୟାୟ ପାଇବା ପାଇଁ ନାବାଳିକାର ବାପା, ମାଙ୍କୁ ଆତ୍ମାହୁତି ଉଦ୍ୟମ କରିବାକୁ ପଡ଼ିଲା। ତେଣୁ ଭଲ ହେବ, ରାଜ୍ୟ ସରକାର ଏହାର ତଦନ୍ତ ଏକ ନିଷ୍ପକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦିଅନ୍ତୁ। ନାବାଳିକାର ମାଆ ବାପାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦେବା ଉଚିତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଅନ୍ୟପଟେ ଏସ୍‌ଆଇଟିର ତଦନ୍ତ ଉପରେ ଭରସା କରିପାରୁ ନାହାନ୍ତି ମୃତା ନାବାଳିକାର ବାପାମା। ଯେହେତୁ ଏସ୍‌ଆଇଟି ଟିମ୍‌ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି ନାବାଳିକାର ବାପା-ମାଆ।

ସରୋଜ ଦୋଷୀ ବୋଲି ପ୍ରମାଣ ସ୍ୱରୂପ ସରୋଜ ଘରୁ ଜବତ କରିଥିବା ରକ୍ତ ଭିଜା ଗାମୁଛା ଓ ସିମେନ୍ସ ଦାଗ ଥିବା ଫ୍ରକ୍ ଜବତ କିମ୍ବା ଗାଁ ପରିତ୍ୟକ୍ତ ପୋଖରୀରୁ ଖୋଜି ପାଇଥିବା ନାବାଳିକାର ଲେଗିନ୍ସ,ଏସବୁରୁ ଗୋଟିଏକୁ ବି ବିଶ୍ୱାସକୁ ନେଉ ନାହାନ୍ତି ନାବାଳିକାର ପରିବାର ବାପା-ମା।

ମାଆ ସୌଦାମିନୀ ବି ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ କହିଛନ୍ତି ଯେ ଏସଆଇଟି ଯେଉଁ ସବୁ ପ୍ରମାଣ ପାଇଥିବା କଥା କହୁଛି, ଏସବୁକୁ ତାଙ୍କୁ କେବେ ଦେଖାଯାଇ ନାହିଁ କି ଚିହ୍ନାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନରୁ ନାବାଳିକାର ଲେଗିନ୍ସ ମିଳିଛି, ତାହା ଏକ ପରିତ୍ୟକ୍ତ ପୋଖରୀ, ଯେଉଁଥିରେ ବର୍ଷତମାମ ଗାଁ ଲୋକେ ଅଦରକାରୀ ଜିନିଷ ହିଁ ପିଙ୍ଗିଥାନ୍ତି। ଏଥିସହ ସେମାନେ ଅଙ୍ଗତସ୍କରୀ ପାଇଁ ଯାହାଙ୍କୁ ସବୁ ହତ୍ୟାକାରୀ ଭାବେ ସନ୍ଦେହ କରୁଛନ୍ତି, ସେମାନଙ୍କୁ ଏସଆଇଟି ଧରୁନାହିଁ। ତେଣୁ ତଦନ୍ତକାରୀ ସଂସ୍ଥା ଉପରେ ତାଙ୍କର ଟିକେ ବି ଭରସା ନାହିଁ। ତେଣୁ ପୁଣିଥରେ ଆଜି ଘଟଣାର ସିବିଆଇ ତଦନ୍ତ ଦାବିକୁ  ଦୋହରାଇଛନ୍ତି ମାଆ ସୌଦାମିନୀ।

ସେପଟେ ସରୋଜକୁ ଧରି ଏସଆଇଟିର ମର୍ଡର ଡେମୋ ହେଉ କି ତଦନ୍ତ ପ୍ରକ୍ରିୟା, ଏସବୁ ଉପରେ ବି କଡ଼ା ଆପତ୍ତି ଉଠାଇଲେଣି ସରୋଜଙ୍କ ଓକିଲ ଚନ୍ଦ୍ର ବିଜୟୀ ମିତ୍ର। ଏନେଇ ସେ କହିଛନ୍ତି ଯେ ଏସଆଇଟି ଆଗରେ ସରୋଜ ଯାହା ସବୁ ସ୍ୱୀକାର କରିଛି, ତାହା ତାଙ୍କ କଷ୍ଟୁଡିରେ ଥିବାବେଳେ କହିଛି। ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ୧୬୪ ବୟାନ ରେକର୍ଡ ହୋଇ ନାହିଁ। ତେଣୁ କୋର୍ଟଙ୍କ ସାମ୍ନାରେ ଏ ତଦନ୍ତର କୌଣସି ମାନେ ନାହିଁ।

ତେବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଦୃଢ଼ୋକ୍ତି ପ୍ରକାଶ କରି ସ୍ପଷ୍ଟ ଭାବେ କହିଥିଲେ ଯେ ନାବାଳିକା ମାମଲାକୁ ସିଦ୍ଧ କରିବା ସହ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ଲାଗି ତାଙ୍କ ପାଖରେ ଦୁଇ ଶହ ପ୍ରତିଶତ ପ୍ରମାଣ ରହିଛି।

ଏସବୁ ଦିଗକୁ ନେଇ କ’ଣ କହୁଛନ୍ତି ବରିଷ୍ଠ ଆଇନଜୀବୀ ତାହା ବି ଜାଣି ରଖନ୍ତୁ।

ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ କହିବା କଥା ହେଲା ଯେ ଅଭିଯୁକ୍ତ କ୍ରାଇମ୍‌ ପାଇଁ ଗାମୁଛା ବ୍ୟବହାର କରିଥିଲା। ଯଦି ସେଥିରେ ବ୍ଲଡ୍‌ ଥିଲା କି ସିମେନ୍ ଥିଲେ ତେବେ ୫ ମାସ ହେଲାଣି ସେ ଗାମୁଛାକୁ ଧୋଇନଥିଲା କି ? ଯେମିତି ଅରୁଣ ବୋଥ୍ରା ପଚାରିଲେ ସେମିତି ସେ ଗାମୁଛାଟି ତାଙ୍କୁ ଦେଇ ଦେଲା। ତେଣୁ ଏସବୁ ବିଚିତ୍ର କଥା ଭଳି ଲାଗୁଛି। ବରିଷ୍ଠ ପୋଲିସ ଅଧିକାରୀ ଏହା ଜାଣିବା ଦରକାର ଯେ କଷ୍ଟୁଡିରେ ଥିବା ବ୍ୟକ୍ତି ଯାହା ସ୍ୱୀକାର କରିବ ତାହା ଉପରେ ଆଧାର କରି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ ବୋଲି ଧରଣୀଧର କହିଛନ୍ତି।

ଅନ୍ୟପଟେ ଆଇନଜୀବ ସୌରଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ପରିବାର ଲୋକେ ନାବାଳିକାର ପୋଷାକ ଚିହ୍ନିବା କଥା। ଏହାଛଡ଼ା ଯେଉଁ ସିମେନ୍‌ ମିଳିଛି ତାହା ମ୍ୟାନୁପୁଲେସନ ହୋଇଛି କି ନାହିଁ ତାହାକୁ ସନ୍ଦେହ ଘେରରେ ଆଣିବା ଦରକାର ବୋଲି ସେ କହିଛନ୍ତି।

ଏପଟେ ସିମେନ ଫ୍ରକ୍‌ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ। ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନଥିବାରୁ ଏବେ ତଦନ୍ତ କେଉଁ ଆଡ଼େ ଯିବ ତାକୁ ଅପେକ୍ଷା।

You might also like