ସେ ମୋ ମନରେ..ହୃଦୟରେ..ଆତ୍ମାରେ.. ଜଗନ୍ନାଥଙ୍କୁ ଦେଖି ଏମିତି କହିଲେ ବିଭୋର ବିଦେଶିନୀ

ପୁରୀ: ଜଗତର ନାଥ ଜଗନ୍ନାଥ ସିଏ। ଭାବକୁ ନିକଟ…ଅଭାବକୁ ଦୂର। ତା ପାଖରେ କିଏ ପର ନୁହେଁ…ସଭିଏଁ ଆପଣାର। ଟିକିଏ ଶ୍ରଦ୍ଧା…ଟିକିଏ ପ୍ରେମ ପାଇଁ ପାଗଳ ଯେମିତି ସେ । ସେଥିପାଇଁ ତ ବଡ଼ ଦେଉଳର ସୁଖ ଛାଡ଼ି ବାହାରି ଆସେ ତା ପାଇଁ ପାଗଳ ହେଉଥିବା ଭକ୍ତଙ୍କୁ ଟିକିଏ ଦେଖିବା ପାଇଁ। 

ଏ ବଡ଼ଦାଣ୍ଡ ବି ଏମିତି। ଏଠି ଜାତି, ଧର୍ମ, ବର୍ଣ୍ଣର ବାରଣ ନ ଥାଏ। ସମସ୍ତଙ୍କୁ କୋଳେଇ ନେଇଛି ଏ ଦାଣ୍ଡ । ବଡଦାଣ୍ଡରେ ରଥ ଉପରେ ଯିଏ ଥରେ ଜଗାକୁ ଦେଖିଛି ସେ ହୋଇଛି ଭକ୍ତିରେ ବିହ୍ୱଳ।

ସେଥିପାଇଁ ତ ଜଗାକୁ ଥରେ ଦେଖିବା ପାଇଁ ବିଦେଶରୁ ଧାଇଁ ଆସନ୍ତି ଭକ୍ତ। ଏଥର ବି ରଥ ଉପରେ ଠାକୁରଙ୍କୁ ଦେଖିବା ପାଇଁ ଆସିଥିଲେ ବିଦେଶିନୀ। ଶରଧା ବାଲିରେ ଜଗନ୍ନାଥଙ୍କୁ ଦେଖି ଭାବ ବିହ୍ୱଳ ହୋଇ ପଡ଼ିଥିଲେ। 

ଭିଡ଼ ଭିତରେ ଆମ ପ୍ରତିନିଧି ଏଇ ବିଦେଶିନୀ ଭକ୍ତଙ୍କୁ ଭେଟିଥିଲେ, ପଚାରି ବୁଝିଥିଲେ ତାଙ୍କ ମନର କଥା। 

ମହିଳା ଭକ୍ତ ଜଣକ ଖ୍ରୀଷ୍ଟିଆନ୍‌ ଥିଲେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କ ଭକ୍ତି ଭାବ ଅଗାଧ ଥିଲା।

ଜଗନ୍ନାଥଙ୍କୁ ନେଇ ତାଙ୍କର ଭାବନା କଣ ବୋଲି ପଚରା ଯିବାରୁ ସେ କହିଥିଲେ-

‘ମୋ ଜୀବନର ଲକ୍ଷ୍ୟ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଇବା। ଜଗନ୍ନାଥ ମୋ ମନ, ହୃଦୟ ଓ ଆତ୍ମାରେ ଅଛନ୍ତି।  ଜଗନ୍ନାଥ ମୋ ଶକ୍ତି। ଜଗନ୍ନାଥଙ୍କ ପ୍ରତି ମୋ ହୃଦୟରେ ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି,  ଜଗନ୍ନାଥ ଏମିତି ଠାକୁର ତାଙ୍କ ପାଖରେ ହିଂସା, ଘୃଣାଭାବ ନ ଥାଏ। ସେ ହିନ୍ଦୁ ଫିଲସଫି, ବୈଦିକ ସଂସ୍କୃତିକୁ ଭଲ ପାଆନ୍ତି ବୋଲି କହିଛନ୍ତି। 

You might also like