ସରକାରୀ ଜମିରେ ଖୋଲିଛି ବିଦେଶୀ ମଦ ଦୋକାନ

ପ୍ରବେଶ ପଛରେ ମଦ ଦୋକାନ

ଭିତରକନିକା (ପ୍ରବୀର ନାୟକ): ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ସ୍ୱତ୍ୱନ୍ତ୍ର ସ୍ଥାନ ରହିଛି। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ। କୌଣସି ବ୍ୟକ୍ତିଗତ ଜମି ନୁହେଁ ବରଂ ସରକାରୀ ଜମିରେ ଗଢି ଉଠିଛି ଏହି ମଦ ଦୋକାନ। ଅବକାରୀ ବିଭାଗ ସବୁ ଜାଣିଶୁଣି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଲୋକେ। ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ମଦ୍ୟପଙ୍କ କାର୍ଯ୍ୟକଳାପ ବଢିଚାଲିଛି, ଯାହାକି ଲୋକଙ୍କ ଚିନ୍ତା ବଢାଉଛି।

ସରକାରୀ ନିୟମର ଖୋଲା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି ଭିତରକନିକାରେ। ସରକାରୀ ଜମିରେ ଖୋଲିଛି ବିଦେଶୀ ମଦ ଦୋକାନ। ଏହା ପୁଣି ପର୍ଯ୍ୟଟନସ୍ଥଳୀ ଭିତରକନିକାକୁ ଯିବା ପ୍ରବେଶ ପଥ ନିକଟରେ। ରାଜନଗର ବ୍ଲକ ଡାଙ୍ଗମାଳର ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ। ସ୍କୁଲ ନିକଟରେ କୌଣସି ମଦ ଦୋକାନ ନ ଖୋଲିବାକୁ ନିୟମ ନଥିବାବେଳେ ସ୍କୁଲଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏହି ବିଦେଶୀ ମଦ ଦୋକାନ।

ତେବେ ସ୍ଥାନୀୟ ଲୋକ କହିଛନ୍ତି, ଭିତରକନିକା ପାଖରେ ମଦ ଦୋକାନ ଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣା ଯୁବପୀଢିଙ୍କୁ ନିଶ୍ଚିତ ଭାବରେ ବ୍ୟଥିତ କରୁଛି। ଅସାମାଜିକ ଲୋକଙ୍କ ପାଇଁ ବିରକ୍ତି ପ୍ରକାଶ କରୁଛନ୍ତି ବାହାରୁ ଆସିଥିବା ପର୍ଯ୍ୟଟକ।

ପର୍ଯ୍ୟଟନସ୍ଥଳୀ ପାଖରୁ ମଦ ଦୋକାନ ଉଠାଇ ଦେବା ଉଚିତ ବୋଲି ବିଧାୟକ ପ୍ରତାପ ଦେବ ମଧ୍ୟ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଏଠି ମଦ ପିଇ କିଛି ଦୁର୍ବୃତ୍ତ ଉତ୍ପାତ ହେଲେ ତାହା ଭିତରକନିକାର ଛବିକୁ ଖରାପ କରିଦେବ ବୋଲି ବିଧାୟକ କହିଛନ୍ତି।

ଆହୁରି ପଢନ୍ତୁ : କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ, ପୁଣି ଏକ ହାତୀର ମୃତଦେହ ଉଦ୍ଧାର

ଏହି ଦୋକାନ ନିକଟରେ ପଡି ରହିଛି ଶହ ଶହ ସଂଖ୍ୟାରେ ମଦବୋତଲ। ଆଇନକୁ ଆଖିଠାର ମାରି ନିୟମର ପୂରା  ଉଲ୍ଲଂଘନ କରି ଏହି ମଦ ଦୋକାନକୁ କିଭଳି ଅନୁମତି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରତିଦିନ ଦେଶ ବିଦେଶରୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଅନେକ ସମୟରେ ଅସାମାଜିକ ଯୁବକ ମଦ ପିଇ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ମଦଦୋକାନକୁ ଉଠାଇବାକୁ ସରକାର ପଦକ୍ଷେପ ନେବାକୁ ଦାବି ଉଠାଇଛନ୍ତି ଆଳି ବିଧାୟକ। ଆଉ ମଦ୍ୟପଙ୍କ ଏଭଳି ବ୍ୟବହାରକୁ ନେଇ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ରାଜନଗର ଡିଏଫ୍ଓ। ତେବେ ଏବେ ଅପେକ୍ଷା କେବେ ଅଭୟାରଣ୍ୟ ପାଖରୁ ମଦ ଦୋକାନ ଉଠିବ।

You might also like