ଏମିତି ମିଳନ ଯୁଗ ଯୁଗର … ବିଦେଶୀ ନବଦମ୍ପତିଙ୍କ ନିଆରା ବାହାଘର

ପୁରୀ : କୁହାଯାଏ ମର୍ତ୍ତ୍ୟର ଯୋଡ଼ି ସ୍ୱର୍ଗରେ ସ୍ଥିର ହୋଇଥାଏ ଅର୍ଥାତ୍ ଏଠି କିଏ କାହାକୁ ବିବାହ କରିବ, ତାହା ଈଶ୍ୱର ପୂର୍ବରୁ ନିଷ୍ପତ୍ତି ନେଇସାରିଥାନ୍ତି। କିନ୍ତୁ ଏମିତି ବି କୁହାଯାଇପାରେ କି, କିଏ କାହାକୁ ଓ କେମିତି ବାହା ହେବ, ତାହା ବି ପୂର୍ବ ନିର୍ଦ୍ଧାରିତ।

ରୋମାନଙ୍କ ତୁଣ୍ଡରେ ଜଗନ୍ନାଥ ସ୍ତୋତ୍ର। ଆଉ ନାତାଲିଙ୍କ ହାତରେ ମେହେନ୍ଦି, ସିନ୍ଥିରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର। କେବଳ କାୟ-ମନ-ବାକ୍ୟ ନୁହେଁ, ତିନି ଦିନ ତଳେ ନିଜ ସଂପର୍କକୁ ବି ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତି ଭାବେ ଯୋଡ଼ିଛନ୍ତି ଏହି ବିଦେଶୀ ନବଦଂପତି।

ବର ବେଶରେ ରୋମାନ୍ ଆଉ ନବବଧୂ ବେଶରେ ନାତାଲି। କେବଳ ଶରୀରର ରଙ୍ଗ ଓ ଗଢ଼ଣକୁ ଛାଡ଼ି ବାକି ସବୁ ଓଡ଼ିଆ । ଗତ ମଙ୍ଗଳବାର ପୁରୀ ଗଙ୍ଗାମାତା ମଠରେ ଶାଢ଼ୀ-ସେରଓ୍ୱାନୀ ପିନ୍ଧି, ଅଗ୍ନିକୁ ସାକ୍ଷୀ ରଖି, ପୁରୋହିତଙ୍କ ମନ୍ତ୍ରଧ୍ୱନି ସହ ସାତଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ମସ୍କୋର ଏହି ପ୍ରେମୀ ଯୁଗଳ।

ଆଉ ତା ପରେ ପତିତପାବନ ଦର୍ଶନ କରି ମହାପ୍ରସାଦ ପାଇଥିଲେ ଉଭୟେ । ପୂର୍ବରୁ ବୈଷ୍ଣବ ଧର୍ମ ଗ୍ରହଣ କରିଥିବା ଏହି ଯୋଡ଼ି, ମସ୍କୋରେ ଜନ୍ମାଷ୍ଟମୀ ଉତ୍ସବ ବେଳେ ପରସ୍ପରକୁ ଭେଟି ପ୍ରେମରେ ପଡ଼ିଥିଲେ । ଆଉ ତାପରେ ଦୁହେଁ ଜୀବନ ସାଥି ହେବା ପାଇଁ ହୋଇଥିଲେ କଥା ଦିଆ ନିଆ ।

You might also like