‘ଆସନ୍ତା ୫ ବର୍ଷ ମଧ୍ୟରେ ବଦଳି ଯିବ ଭାରତୀୟ ପାଣିପାଗ ବିଭାଗର ଆକଳନର ଚିତ୍ର’

ଭୁବନେଶ୍ୱର: ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିଯିବ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଆକଳନର ଚିତ୍ର। ଆସନ୍ତା ୫ ବର୍ଷରେ ପାଣିପାଗର ଆକଳନ ଆହୁରି ନିର୍ଦ୍ଦିଷ୍ଟ ହେବ।

ଏବେ ସାମଗ୍ରିକ ଭାବେ ଜିଲ୍ଲା ସ୍ତରରେ ପାଣିପାଗ ପୂର୍ବାନୁମାନ କରାଯାଉଥିବା ବେଳେ, ଆଗକୁ କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷୟକ୍ଷତି ହେବ ସେନେଇ ମଧ୍ୟ ସତର୍କ କରାଯାଇପାରିବ ବୋଲି ଓଟିଭି ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଭାରତର ସାଇକ୍ଲୋନ୍ ମ୍ୟାନ୍ ତଥା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ବଙ୍ଗୋପସାଗର ଓ ଆରବସାଗରରେ ବର୍ଷକୁ ପ୍ରାୟତଃ ୫ଟି ଘୂର୍ଣ୍ଣିଝଡ଼ ସୃଷ୍ଟି ହୁଏ। ବଙ୍ଗୋପସାଗରରେ ୪ଟି ଓ ଆରବସାଗରରେ ଗୋଟିଏ ଘୂର୍ଣ୍ଣିଝଡ଼ ହୁଏ। ବଙ୍ଗୋପସାଗରର ୪ଟିରୁ ଓଡ଼ିଶାକୁ ଗୋଟିଏ ପ୍ରଭାବିତ କରିଥାଏ। ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍‌’ ସମ୍ପର୍କରେ ସଠିକ୍ ଆକଳନ ସମ୍ଭବ ହୋଇଥିବାରୁ ଏହା ପାଣିପାଗ ବିଭାଗ ପାଇଁ ଏକ ସଫଳ କାହାଣୀ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

୨୦୨୪-୨୫ ବେଳକୁ ମହାକାଶକୁ ଉନ୍ନତ ସାଟେଲାଇଟ୍ INSAT-4 ସିରିଜ ଛଡ଼ାଗଲେ ଆହୁରି ସଠିକ୍ ଆକଳନ କରିହେବ। ସେଥିପାଇଁ ସାଟେଲାଇଟ୍‌ରେ କେଉଁସବୁ ବିକାଶ ଲୋଡ଼ା ସେନେଇ ଇସ୍ରୋକୁ ଆଇଏମ୍‌ଡି ପକ୍ଷରୁ ଅବଗତ କରାଯାଇଛି। ଏଥିସହ ଆଗକୁ ସବୁ ଜିଲ୍ଲାରେ କୃଷି ପାଣିପାଗ କେନ୍ଦ୍ର ହେବ ଏବଂ ବାଲେଶ୍ୱର ଓ ସମ୍ବଲପୁରରେ ଡପ୍ଲର ରାଡାର୍ ସ୍ଥାପନ ହେବ ବୋଲି ସେ କହିଛନ୍ତି।

You might also like