ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ: ଭୂତକୋଠି ପାଲଟିଲାଣି ଛାତ୍ରୀ ନିବାସ

କଳାହାଣ୍ଡି: ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଲାଗି ମାଗଣାରେ ରହିବା, ଖାଇବା ସହ ପାଠ ପଢ଼ା ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବହୁ ଟଙ୍କା ଖର୍ଚ୍ଚ କରି ସ୍କୁଲ୍‌ ବିଲ୍‌ଡିଂ ସହ ଛାତ୍ରୀବାସ ନିର୍ମାଣ କରୁଛନ୍ତି।

ହେଲେ କେତେକ ସ୍ଥାନରେ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ପାହାଡ଼ିଆ ଅଞ୍ଚଳର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ଅଭିଯୋଗ ହୋଇଛି।

କଳାହାଣ୍ଡି ଯୁଗସାଏପାଟଣାରେ ୫ବର୍ଷ ତଳେ ନିର୍ମାଣ ହୋଇଥିବା ଏକ ଛାତ୍ରୀ ନିବାସ ଭୁତକୋଠି ପାଲଟିଲାଣି। ଛାତ୍ରୀ ନିବାସ ଚାରିପଟେ ଲଟାବୁଦା ମାଡ଼ିଗଲାଣି। ସରକାରୀ ଯୋଜନା ଅନୁସାରେ ୧୦୦ଜଣ ଆଦିବାସୀ ଛାତ୍ରୀଙ୍କ ରହଣି ସହ ଶିକ୍ଷା ବ୍ୟବସ୍ଥା ଲାଗି ଏହାର ନିର୍ମାଣ ହୋଇଥିଲା।

ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏଠାକାର ଛାତ୍ରୀ ନିବାସ ଆଜି ଯାଏ କାର୍ଯ୍ୟକ୍ଷମ ହୋଇପାରିନି। ଏହା ଆନୁଷ୍ଠାନିକ ଭାବେ ଖୋଲା ଯାଇ ନଥିବାରୁ ଅଭିଭାବକଙ୍କ ସମେତ ଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୫ ବର୍ଷ ପୂର୍ବରୁ ଏହି ଛାତ୍ରୀ ନିବାସର କୋଠା ନିର୍ମାଣ ସରିଛି। ଛାତ୍ରୀ ନିବାସ ଲାଗି ଇଲେକ୍ଟ୍ରି ଖୁଣ୍ଟ ବି ପଡ଼ିଛି। ହେଲେ ଆଶ୍ଚର୍ଯ୍ୟର କଥା, କୋଠାରେ ଇଲେକ୍ଟ୍ରିଫିକେସନ୍‌ ହୋଇନଥିବାରୁ ଏହାକୁ ଖୋଲାଯାଇ ନଥିବା ଜିଲ୍ଲାମଙ୍ଗଳ ଅଧିକାରୀ କହିଛନ୍ତି। ତେବେ ଆସନ୍ତା ମାସକ ମଧ୍ୟରେ ଏଠାରେ ନାମଲେଖା ହେବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଦଦେବ ପଣ୍ଡା।

ସରକାରୀ ଯୋଜନାରେ ଆସୁଛି ଅନେକ ଅର୍ଥ, ଆଉ  ନିର୍ମାଣ ବି ହେଉଛି କୋଠା। ତେବେ କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହୁଛି। କଳାହାଣ୍ଡି ଜିଲ୍ଲା ଯୁଗସାଏପାଟଣାର ଏହି ଛାତ୍ରୀ ନିବାସ ତାହାର ଜ୍ୱଳନ୍ତ ଉଦାହରଣ।

 

You might also like