ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି

ଫୋକସରେ କାଳିଆ ଯୋଜନା, ସମସ୍ତ ଝିଅଙ୍କୁୁ ମାଗଣାରେ ଶିକ୍ଷା ପ୍ରତିଶ୍ରୁତି

ଭୁବନେଶ୍ୱର : କଂଗ୍ରେସ ଓ ବିଜେପି ପରେ ଶେଷରେ ଆଜି ଇସ୍ତାହାର ପ୍ରକାଶ କରିଛି ବିଜେଡି। ଫୋକସରେ ରହିଛି ଚାଷୀଙ୍କ ଲାଗି ଉଦ୍ଦିଷ୍ଟ କାଳିଆ ଯୋଜନା। ସାଧାରଣ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ଟଙ୍କାର ସହାୟତା ଜାରି ରଖାଯିବା ସହ ଯୋଜନାର କାର୍ଯ୍ୟକାରିତା ଓ ୩ ବର୍ଷ ପରେ ଏଥିରେ ସଂଶୋଧନ ଆଣିବା ଲାଗି କାଳିଆ କମିଶନ ଗଠନ କରାଯିବ ଏବଂ ଚାଷୀ ପରିବାରର ପିଲାଙ୍କ ଉଚ୍ଚ ଓ ବୃତ୍ତିଗତ ଶିକ୍ଷା ଲାଗି କାଳିଆ ସ୍କଲାରସିପ୍ ବିଷୟ ଘୋଷଣାପତ୍ରରେ ସ୍ଥାନ ପାଇଛି।

ତାସହ ରାଜ୍ୟରେ କୃଷିର ବିକାଶ ଲାଗି ଅନେକ ପ୍ରତିଶ୍ରୁତି ଦେଇଛି ବିଜେଡି। ପ୍ରତି ପଞ୍ଚାୟତରେ ଗୋଦାମ ଘର ଓ କୋଲ୍ଡଷ୍ଟୋର୍ ନିର୍ମାଣ,ଚାଷୀଙ୍କୁ  ବିନା ସୁଧରେ ୧ ଲକ୍ଷ ଟଙ୍କାର ଶସ୍ୟ ଋଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଧାନ ଏମ୍‌ଏସ୍‌ପି ୨୯ଶହ ୩୦ ଟଙ୍କା କରିବା ଦାବିକୁ ଦଳ କେନ୍ଦ୍ର ନିକଟରେ ଉଠାଇବ ବୋଲି କହିଛି।

ସେହିପରି ମହିଳା ଓ ଯୁବବର୍ଗଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି।  ଗରିବ ପରିବାରର ଝିଅଙ୍କ ବିବାହ ଲାଗି ୨୫ ହଜାର ଟଙ୍କା ସହାୟତା। ସବୁ ଝିଅଙ୍କୁ କେଜିରୁ ପିଜି ଯାଏଁ ମାଗଣା ଶିକ୍ଷାର ଘୋଷଣା କରାଯାଇଛି।

ପୁରା ରାଜ୍ୟକୁ ସଂଯୋଗ ଲାଗି ବିଜୁ ଏକ୍ସପ୍ରେସ୍‌ୱେ ନିର୍ମାଣ, କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ବିଜେଡି ଉଲ୍ଲେଖ କରିଛି।

ଅନ୍ୟପକ୍ଷରେ ୟୁପିଏ ହେଉ କି ଏନ୍‌ଡିଏ, ଉଭୟ ଓଡ଼ିଶାକୁ ଅବହେଳା କରୁଥିବା ଦର୍ଶାଇ ଓଡ଼ିଶା ହକ୍ ମାଗୁଛି ବୋଲି କହିଛି ବିଜେଡି।

You might also like