ରାଜ୍ୟ ଫୁଟବଲର ଏନ୍ତୁଡିଶାଳରେ ଏବେ ଭିତ୍ତିଭୂମିର ଅଭାବ, ନାହାଁନ୍ତି ପେଶାଦାର ପ୍ରଶିକ୍ଷକ

ଅବହେଳିତ ଅବସ୍ଥାରେ ଉଦୀୟମାନ ତାରକା , ସ୍ପୋଟର୍ସ ହଷ୍ଟେଲ ପାଇଁ ଉଠିଲା ଦାବି

କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ରାଜ୍ୟରେ ମହିଳା ଫୁଟବଲ କହିଲେ ମନକୁ ଆସିଯାଏ କେନ୍ଦ୍ରପଡା କଥା । ଯେଉଁଠୁ ଅନେକ ପ୍ରତିଭବାନ ଖେଳାଳି ସୃଷ୍ଟି ହୋଇ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି  । ହେଲେ ଫୁଟବଲର ଏନ୍ତୁଡିଶାଳ କୁହଯାଉଥିବା ଆଳି ଅଞ୍ଚଳରେ ଏବେ କ୍ରୀଡା ଭିତ୍ତିଭୂମିର ଅଭାବ, ଯାହା ଫଳରେ ପ୍ରତିଭା ଥାଇ ମଧ୍ୟ ବିକଶିତ ହୋଇପାରୁନି ।

କେନ୍ଦ୍ରାପଡା ଜିଲ୍ଲା ଆଳିର ଥିବା ମିନି ଷ୍ଟାଡିୟମ କେବଳ ଓଡିଶା ନୁହେଁ ଭାରତକୁ ଦେଇଛି ଅନେକ ଫୁଟବଲ ପ୍ରତିଭା । ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି । ଦୀର୍ଘବର୍ଷ ଧରି ଏହା ରାଜ୍ୟ ଫୁଟବଲର ଏନ୍ତୁଡିଶାଳ ଭାବେ ପରିଚୟ ହାସଲ କରିଛି । ପ୍ରତିଦିନ ଏଠାକୁ ୪୦ରୁ ୫୦ ମହିଳା ପ୍ରଶିକ୍ଷଣ ପାଇଁ ଆସିଥାନ୍ତି, ହେଲେ ଏବେ ଏହି ଉଦୀୟମାନ ପ୍ରତିଭା ଅବହେଳିତ । ଉତ୍ତମ ଭିତ୍ତିଭୂମିର ଅଭାବ ଓ ପେଶାଦାର ପ୍ରଶିକ୍ଷକଙ୍କ ଅନୁପସ୍ଥିତି ଏମାନଙ୍କ ପ୍ରତିଭା ବିକାଶରେ ବାଧକ ସାଜିଛି । ନା ଅଭ୍ୟାସ ପାଇଁ ପ୍ରଚୁର ସଂଖ୍ୟାରେ ଫୁଟବଲ ମିଳିପାରୁଛି ନା ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ମିଳୁଛି।

ଦୀର୍ଘ ୨୦ ବର୍ଷ ହେଲା ଆଳି ଆଥଲେଟିକ୍ସ ଆସୋସିଏସନ ଅଧୀନରେ ଥିବା ଏହି ଷ୍ଟାଡିୟମ ମହିଳା ଫୁଟବଲରଙ୍କୁ ନୀରବଛିନ୍ନ ଭାବେ ପ୍ରଶିକ୍ଷଣ ଦେଇଆସୁଛି । ଆଖ ପାଖ ଅନେକ ଗାଁରୁ ଏଠାକୁ ଖେଳିବାକୁ ଅନେକ ଝିଅ ଆସୁଥିବାରୁ ଏକ ସ୍ପୋଟର୍ସ ହଷ୍ଟେଲ ପାଇଁ ମଧ୍ୟ ଦାବି ଉଠିଛି । ସେପଟେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବା ଏବଂ ସ୍ପୋଟର୍ସ ହଷ୍ଟେଲ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜିଲ୍ଲପାଳ କହିଛନ୍ତି ।

You might also like