ଟିକା ନେଲେ ଡିସକାଉଣ୍ଟରେ ମିଳୁଛି ରାସନ, ଡାଇଲଗ୍ ମାରି କୁନି ପିଲା କରୁଛନ୍ତି ସଚେତନ

ଯାଜପୁର/ ହିଞ୍ଜିଳିକାଟୁ: ସତର୍କତା ହିଁ ସୁରକ୍ଷାର ମୂଳମନ୍ତ୍ର, ସଚେତନତା ହିଁ ପରିବର୍ତ୍ତନର ଚାବିକାଠି । ଏହି ବାର୍ତ୍ତାକୁ ଗଣ୍ଠି କରି ମୃତ୍ୟୁର ମହାମାରୀ ବେଳେ ଲୋକଙ୍କ ଭିତରେ ଆକର୍ଷଣୀୟ ଢଙ୍ଗରେ ଜନଜାଗରଣ ସୃଷ୍ଟି କରୁଛନ୍ତି ବହୁ ବ୍ୟକ୍ତି ବିଶେଷ । କେଉଁଠି ଡବଲ୍ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ଶସ୍ତାରେ ସାମଗ୍ରୀ ଟେକି ଦେଉଛନ୍ତି ବ୍ୟବସାୟୀ ତ ଆଉ କେଉଁଠି ସୋସିଆଲ୍ ମିଡିଆରେ ଭିଡ଼ିଓ ଛାଡ଼ି ଜନସଚେତନତା ସୃଷ୍ଟି କରୁଛନ୍ତି କୁନି କୁନି ପିଲା । ଏମିତି କିଛି ମନଛୁଆଁ ଉଦ୍ୟମ ପଛରେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କରୋନାକୁ ହରାଇବା । ତେବେ କିଏ ଏବଂ କେଉଁଠି ଚଳାଇଛନ୍ତି ଏଭଳିି ଅଭିନବ ପ୍ରୟାସ ?

ଆପଣ କରୋନା ଟିକାର ଡବଲ୍ ଡୋଜ୍ ନେଇଛନ୍ତି କି ? ତାହେଲେ ଶସ୍ତାରେ ପାଇବେ ସାମଗ୍ରୀ । ସଉଦା ହେଉ କି ଲୁଗାପଟା, ମିଲ୍ସ ହେଉ ଅବା ଟିଫିନ୍, ୫%ର ଡିସକାଉଣ୍ଟରେ ପାଇବେ ସବୁଠି । ଗଞ୍ଜାମ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାଲିଛି ଏବେ ଏଭଳି ଅଫର୍ । ସମସ୍ତେ ଯେମିତି ଡବଲ୍ ଡୋଜ୍ ଟିକା ନେବେ, ସେହି ଲକ୍ଷ୍ୟ ରଖି ପ୍ରୋତ୍ସାହନ ସ୍ୱରୂପ ୫ ପ୍ରତିଶତ ଅଫର୍ ଘୋଷଣା କରିଛନ୍ତି ହିଞ୍ଜିଳିକାଟୁର ୧୦ ଜଣ ଦୋକାନୀ । ଦୋକାନକୁ ଗଲେ, ଗ୍ରାହକଙ୍କୁ ଦୋକାନୀ ପ୍ରଥମେ ଟିକାକରଣ ବିଷୟରେ ପଚାରିବା ସହ ଅଫର୍ କହିବେ । ଡବଲ ଡୋଜ୍ ନେଇଥିଲେ ଖରିଦ୍ ସାମଗ୍ରୀରେ ୫ ପ୍ରତିଶତ ରିହାତି ଦେବେ ।

ନିଜ ପୌରାଞ୍ଚଳ ସହ ଆଖପାଖ ଗ୍ରାମାଞ୍ଚଳ ଲୋକଙ୍କୁ କରୋନା ଟିକା ଲାଗି ପ୍ରୋତ୍ସାହିତ କରିବାକୁ ଏଭଳି ଉଦ୍ୟମ କରିଛନ୍ତି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ । ଆଉ ତାକୁ ଲୋକାଭିମୁଖୀ କରିବାକୁ ସ୍ଥାନୀୟ ବ୍ୟବସାୟୀଙ୍କ ପାଖରେ ପ୍ରସ୍ତାବ ରଖିଥିଲେ । ଏଥିରେ ବ୍ୟବସାୟୀଙ୍କ ସହମତି ପରେ ଗତ ୨ ଦିନ ହେଲା ଡିସ୍କାଉଣ୍ଟରେ ସାମଗ୍ରୀ ଦେଉଛନ୍ତି ବ୍ୟବସାୟୀ । ଆଗକୁ ତାଲାବନ୍ଦ କଟକଣା ହଟିଲେ ଲୁଗା ଦୋକାନୀ ଏବଂ ହୋଟେଲ୍ ବ୍ୟବସାୟୀ ବି ଅଫର୍ ଦେବେ ବୋଲି କହିଛନ୍ତି । ତେବେ ଅନଲାଇନ୍ କିମ୍ବା ହୋମ୍ ଡେଲିଭରି ବ୍ୟବସ୍ଥାରେ ଏହି ଅଫର୍ ରହିବ କେବଳ ଲକଡାଉନ୍ ସମୟରେ । ଯେକୌଣସି ଗ୍ରାହକ କେବଳ ଥରେ ହିଁ ଏହି ଅଫର୍ର ଲାଭ ଉଠାଇ ପାରିବେ ବୋଲି ଟ୍ୱିଟ୍ କରି ଦର୍ଶାଇଛି ହିଞ୍ଜିଳିକାଟୁ ମୁନିସିପାଲିଟି ।

ତେବେ ଏମିତି ବି କିଛି ସ୍ଥାନ ଅଛି, ଯେଉଁଠି ଅଫର୍ ନୁହେଁ, ଅଭିନୟ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନତା । କରୋନା ଚରିତ୍ରରେ ଅଭିନୟ କରି ଏକ ଛୋଟ ପିଲା କହୁଛି ବିଭିନ୍ନ ଡାଏଲଗ୍ । ଆଉ ଡାଇଲଗ ମାଧ୍ୟମରେ ଭ୍ୟାକ୍ସିନ ନେବାକୁ କରୁଛି ସଚେତନ ।

ଏଭଳି ଅଭିନବ ଉପାୟରେ ସଚେତନତା ବାର୍ତ୍ତା ଦେଉଥିବା ଛୋଟ ଛୋଟ ପିଲା ହେଉଛନ୍ତି ଯାଜପୁର ଜିଲ୍ଲା ରାଧାନଗର ଗାଁର । ଗାଁର ଯୁବକ ଦେବବ୍ରତ ସାହୁ ଏହାର ଭିଡ଼ିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ସଚେତନ କରୁଥିବା ସେ କହିଛନ୍ତି । ଏଭଳି ପ୍ରୟାସକୁ ବିଭିନ୍ନ ସ୍ତରରେ ଭୁରି ଭୁରି ପ୍ରଶଂସା ବି କରାଯାଉଛି ।

You might also like