“ସ୍କୁଲରେ ସଠିକ୍ ଭାବରେ ପାଳନ କର କରୋନା ନିୟମ”

ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ୍ ଗାଇଡ୍ଲାଇନ୍ ପାଳନ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଗଣ ଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁସାରେ,  ସମସ୍ତ DEOଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ। SRC ଜାରି କରିଥିବା ଗାଇଡ୍ଲାଇନ୍ ପାଳନ ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଗଶଣିକ୍ଷା ସଚିବ। କେବଳ ଏତିକି ନୁହେଁ ବରଂ ସଠିକ ଭାବରେ ସ୍କୁଲମାନଙ୍କରେ ସାନିଟାଇଜେସନ କାର୍ଯ୍ୟ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି କୋଭିଡ-୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୁଳକ କରାଯାଇଛି। ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍‌ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି। ସେହିପରି ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କଟକଣା ନ ମାନିଲେ ଗାଇଡ୍ଲାଇନ୍ ଅନୁସାରେ ଦଣ୍ଡିତ ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ବର୍ତ୍ତମାନ ସମୟରେ କରୋନା ସ୍ଥିତି ପୁଣି ଥରେ ବିପଦ ଆଣିପାରେ ବୋଲି ଜଣାପଡିଛି। ତେଣୁ ସରକାରଙ୍କ ପକ୍ଷରୁ କରୋନା ସମ୍ପର୍କରେ ଯେଉଁ କଟକଣା ଜାରି ହୋଇଛି ତାହାକୁ ସମ୍ପୂର୍ଣ୍ଣ ଭାବରେ ମାନିବାକୁ ଚିଠିରେ କୁହାଯାଇଛି।

ଏହାସହ ବିଭିନ୍ନ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେମିତି ଏସବୁ ନିୟମର କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

ସାମାଜିକ ଦୂରତ୍ୱ ପାଳନ ଉପରେ ନଜର ରଖିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି। ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍‌ରେ ସଚେତନ କରି ଓ ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍‌ରେ କୋଭିଡ୍ ନିୟମ ପାଳନ କଡ଼ାକଡ଼ି କରିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଅଫିସ୍ ଓ ଅନୁଷ୍ଠାନରେ ଯେମିତି କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ୱ ଦେବାକୁ ଚିଠିଲେ ଉଲ୍ଲେଖ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ସଂକ୍ରମଣ ଯେପରି ଭାବରେ କୌଣସି ପିଲାଙ୍କର କ୍ଷତି ନକରେ ସେଥିଲାଗି ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଥିବା ଦେଖାଦେଇଛି।

You might also like