ବନ୍ୟା ସ୍ଥିତି କେଉଁଠି କେମିତି ? ଜାଣନ୍ତୁ ଅପ୍ଡେଟ୍
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ୪ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଅତ୍ୟଧିକ ସତର୍କତା ଅବଲମ୍ବନ ଲଗି ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ ନେଇ ସମୀକ୍ଷା କରିଥିଲେ।
କେଉଁ ଜିଲ୍ଲାରେ କେମିତି ସ୍ଥିତି ?
ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢ଼ାବଳଙ୍ଗ, ସୋନ ଓ ଜଳକା ନଦୀରେ ସ୍ଥିତି ଉଦ୍ବେଗଜନକ ରହିଛି। ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲା ହୋଇଛି। ଡ୍ୟାମ୍ ଖୋଲିବାରୁ ସଦର ଓ ରେମୁଣାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଇ ଦେଇଛି। ସମ୍ଭାବ୍ୟ ସ୍ଥିତି ପାଇଁ ରେମୁଣା ଓ ବସ୍ତାରେ NDRF ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।
ଜିଲ୍ଲାର ୪ଟି ବ୍ଲକର ୩ ଶହ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜଳକା ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବାରୁ ବସ୍ତା ହସ୍ପିଟାଲ ରେ ମଧ୍ୟରେ ପାଣି ଜମୁଛି। ବନ୍ୟା ଆଶଙ୍କା ଥିବା ଜଲେଶ୍ୱର, ବସ୍ତା, ବାଲିଆପାଳ, ରେମୁଣା ଅଞ୍ଚଳର ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି। ଜିଲ୍ଲାପାଳ ବାଲେଶ୍ୱର ସଦର ଅଞ୍ଚଳରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ଥଳ ବଢିବାରେ ଲାଗିଛି। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ ସୁଧା ୭.୦୫ ମିଟରରେ ଜଳ ପ୍ରବାହିତ ହେଉଛି. ଫୋଲରେ kati ପୋଲ ଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର ୧୦ ଟି ପଞ୍ଚାୟତ ମଠାନୀ, ବାହାରଡା, ପ୍ରତ୍ରଝଡା, ରାଉତପଡା, ବ୍ରହ୍ମହଣ୍ଡା, ସୁନ୍ଦେରହତ, ଦୁଧ ହଂସ, ସଦାନନ୍ଦପୁର ଓ ସଦର ବ୍ଳକ୍ର 2ଟି ପଞ୍ଚାୟତରେ ଶ୍ରୀରାମପୁର, ରସଲପୁରବନ୍ୟା ହେବାର ଆଶଙ୍କା ରହିଛି।
ଭଦ୍ରକ: ଜିଲ୍ଲାର ଶରତା ପୋଲ ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ପାଣି ଚାଲିଛି। ଫଳରେ ଭଣ୍ଡାରିପୋଖରିରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୧୭. ୮୩ମିଟର ରହିଛି।
ମୟୂରଭଞ୍ଜ: ବିଜାତଳାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଜାତଳାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବାଙ୍କି ଓ ଖନ୍ତ ପୋଲ୍ ଉପରେ ପାଣି ଚଳାଚଳ କରୁଥିବାରୁ ଲୋକଙ୍କ ଯାତାୟାତରେ ବାଧା ଉପୁଜିଛି। କିଛି ରାସ୍ତାରେ ଦୁଇ ଫୁଟ୍ରୁ ଉଚ୍ଚ ପାଣି ଚଳାଚଳ କରୁଛି। ଯାହା ଫଳରେ ରାଇରଙ୍ଗପୁରଠୁ ବିଜାତଳାକୁ ଯାତାୟାତ ବାଧା ଉପୁଜିଛି। ଲଗାଣ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ବିଜାତଳା ତହସିଲ ଓ ଗ୍ରାମପଞ୍ଚାୟତ।
ସୁନ୍ଦରଗଡ଼: ଜିଲ୍ଲାର ବଣାଇ, କୋଇଡ଼ା, ଲହୁଣିପଡ଼ା ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବଣାଇ ଜାତୀୟ ରାଜପଥରେ ପାଣି ପ୍ରବାହିତ ହେବା ଦ୍ୱାରା ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। କୋଇଡାରୁ ଲହୁଣୀପଡ଼ା ରାସ୍ତାରେ ଶହ ଶହ ଟ୍ରକ ଅଟକି ରହିଛି। ସେପଟେ ବର୍ଷା ଯୋଗୁ କାରୋ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଯାଜପୁର: ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲପାଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ଡାକବାଜୀ ଯନ୍ତ୍ର ଦ୍ୱାରା ସତର୍କ ରହିବା ସହ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ପାରାଦୀପ: ପରାଦୀପରେ ବି ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଷଣ୍ଢକୁଦ ଓ ବଜୟଚାନ୍ଦପୁର ବସ୍ତିରେ ଲୋକେ ଏବେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଅନେକ ଝୁମ୍ପୁଡ଼ିରେ ପାଣି ପଶିଯିବା ପରେ ଏବେ ଲୋକଙ୍କ ସମସ୍ୟା ବଢ଼ିଛି। ହଂସୁରା, ବଡ଼ବାଲିକଣି, କାଠକୋଟ୍, ଖୋସାଲାପୁର ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।
ଅନୁଗୁଳ: ଜିଲ୍ଲାର ପାଲଲହଡ଼ା ସହରର ମହକୁମା ବଜାର ଅଞ୍ଚଳରେ ଲଗାଣ ବର୍ଷାରେ ଘରେ ଘରେ ପାଣି ପଶିଛି ଯାଇଛି। ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଏଠି ରହୁଥିବା ୧୨ଟି ପରିବାରର ଘର ଭିତରେ ଏବେ ପାଣି ଲହଡ଼ି ଭାଙ୍ଗୁଛି। ପାଣି ଭିତରେ ଠିଆ ହୋଇ ରୋଷେଇ, ଖାଇବା, ରହିବା ଏବଂ ଅନ୍ୟ ସମସ୍ତ କାମ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ। ସହରର ଏହା ତଳିଆ ଅଂଚଳ ହୋଇଥିବାରୁ ପ୍ରତିବର୍ଷ ସମାନ ସମସ୍ୟା ଭୋଗିବାକୁ ପଡ଼ୁଛି। ତେବେ ଏନେଇ ବାରମ୍ବାର ଜଣାଇବା ପରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ: ଜିଲ୍ଲାର ବ୍ରାହ୍ମଣୀ ଓ ରାମିଆଳ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଭୁବନ ଓ ଗନ୍ଦିଆ ବ୍ଲକରେ ବନ୍ୟାସ୍ଥିତି ଉପୁଜିତିବାରୁ ନାନା ଆଶଙ୍କାରେ ତଳିଆ ଅଞ୍ଚଳବାସୀ। ଭୁବନ ବ୍ଳକର ଜୟପୁର, କୃଷ୍ଣପୁର ଓ ମାଳପୁରା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଗନ୍ଦିଆ ବ୍ଲକର କଙ୍କା ଗାଁ ପାଣିଘେରରେ ରହିଛି। ଗାଁ ରାସ୍ତା ବୁଡ଼ି ଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ଜୟପୁର ମୁଖ୍ୟ ରାସ୍ତାରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହୋଇ ଗମନାଗମନ ବ୍ୟାହତ। ସେହିପରି କାମାକ୍ଷାନଗର ଉପଖଣ୍ଡରେ ପୁଣି ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି l ଚାଷ ଜମିସବୁ ପାଣିରେ ବୁଡିଯାଇଛି। ମାର୍ଥାପୁରରୁ ଭୁବନ ରାସ୍ତାରେ ରାମିଆଳ ନଦୀର ବ୍ରିଜ ଉପର ୩ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି l ଏଭଳି ସ୍ଥିତି ଲାଗିରହିଲେ ଭୁବନ ବ୍ଳକର ଭୁଷଳ ପଞ୍ଚାୟତର ଜୟପୁର,କିର୍ତ୍ତନପୁର ଏବଂ ମାର୍ଥାପୁର ପଞ୍ଚାୟତର ମାର୍ଥାପୁର, ଆଦିପୁରା, ଓଢଣା, ମାଳପୁରା ଓ ଜମୁନାକୋଟ ପଞ୍ଚାୟତର କୃଷ୍ଣପୁରୁ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି।
କଟକ: ନରସିଂହପୁର ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି। ରାତି ଅଧରେ ମାଆଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରିଛନ୍ତି ସେବାୟତ। ବଡ଼ମ୍ବା ଓ ନରସିଂହପୁରରେ ଏକର ଏକର ଚାଷଜମି ଜଳମଗ୍ନ ହୋଇଛି।
ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କଟକ ନିଶ୍ଚିତକୋଇଲି ଅଞ୍ଚଳରେ ଶହ ଶହ ହେର ଚାଷ ଜମିରେ ତଳି ପଚି ଯାଇଛି। ବର୍ଷା ଜଳ ନିଷ୍କାସନ ହୋଇପାରିନଥିବାରୁ ଏବେ ଚିନ୍ତାରେ ଚାଷୀ। ପ୍ରାୟ ୯୦ ଭାଗ ଚାଷ ଜମିରେ ଏହି ସମସ୍ୟା ଦେଖା ଦେଇଛି। ଯଦି, ଆହୁରି ବର୍ଷା ହୁଏ, ତେବେ ଏବର୍ଷର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଚାଷୀ କହିଛନ୍ତି।