ସୁନ୍ଦରଗଡ଼ରେ ବନ୍ୟା ପରିସ୍ଥିତି ସଙ୍ଗୀନ, ଜଳକା ଫୁଲୁଛି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ଇଚ୍ଛାନଦୀର ଜଳସ୍ତର ବଢ଼ିବା ସହ ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ରାଉରକେଲା ସମେତ ବେଦବ୍ୟାସ, ବୀରମିତ୍ରପୁର ଆଦି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ରାଉରକେଲା ରିଂ ରୋଡରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି।  ବୀରମିତ୍ରପୁରର ରାୟବଗା ରୋଡ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବାଲେଶ୍ୱରରେ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି।  ବସ୍ତା ବ୍ଳକର ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡ଼ା ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି। ମଥାନୀଠାରେ ଜଳକା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ଏଠାରେ ବିପଦସଙ୍କେତ ୬.୭୫ମିଟର ଥିବାବେଳେ ଜଳସ୍ତର ୬.୪୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି। 

ବାଲେଶ୍ୱରରେ ଜଳକା ନଦୀର ଜଳସ୍ତର ବଢୁଛି

ଫଳରେ  ବସ୍ତା ବ୍ଲକର ୧୦ ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତର ଲୋକେ  ବନ୍ୟା ଆଶଙ୍କାରେ ଭୟଭୀତ ହୋଇ ପଡ଼ିଛନ୍ତି। ଯଦି ଜଳସ୍ତର ବୃଦ୍ଧି ପାଏ ତେବେ ବାଲେଶ୍ୱରର ବସ୍ତା ଓ ସଦର ବ୍ଲକ ପ୍ରଭାବିତ ହେବା ସହ ବସ୍ତା ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବ।

ମୟୂରଭଞ୍ଜ ଜିଲ୍ଲାରେ ବର୍ଷା କମିବା ପରେ ଏଠାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହ୍ରାସ ପାଇଛି । ଏହାସହ ବାରିପଦା ସହରର ତଳିଆ ଅଞ୍ଚଳରେ ଥିବା ୭ ନମ୍ବର ଓ ୮ ନମ୍ବର ଓ୍ୱାର୍ଡରେ ମଧ୍ୟ ପାଣି କମିଛି । ଗତ ଦୁଇଦିନ ହେଲା ଉପର ମୁଣ୍ଡରେ ବର୍ଷା ଲାଗି ରହିବାରୁ ବୁଢ଼ାବଳଙ୍ଗରେ ଜଳପତ୍ତନ ବୃଦ୍ଧି ପାଇଥିଲା । ସହରରେ ପାଣି ପଶିବାରୁ ଲୋକେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ।

ଅନ୍ୟପକ୍ଷେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ  ହୀରାକୁଦ ଜଳସ୍ତର ବଢୁଛି। ତେଣୁ ଗତକାଲି ପୁଣି ହୀରାକୁଦ ଡ୍ୟାମ୍‌ର୨ଟି ଗେଟ୍ ଖୋଲା ଯାଇଛି।  ବର୍ତ୍ତମାନ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

You might also like