ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଉପର ମୁଣ୍ଡରେ ବର୍ଷା ଓ ଇବ୍ ଓ ଭେଡେନ୍ ନଦୀ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ଖଇରମାଳରେ ୯ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

ସେହିପରି ବଡ଼ମୁଲରେ ୮ ଲକ୍ଷ ୪୦ ହଜାର ଓ ମୁଣ୍ଡଳିରେ ୭ ଲକ୍ଷ ୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏହା ବଢ଼ି ୧୦ ଲକ୍ଷରୁ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ହୋଇପାରେ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇଛି। ଏହାଦ୍ୱାରା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ପ୍ରଭାବିତ ହେବ ବୋଲି SRC କହିଛନ୍ତି।

ଏବେ ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଶୁକ୍ରବାର ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା।

ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ। ହୀରାକୁଦରୁ ୧୧୫ କିଲୋମିଟର ଦୂରରେ ରହିଛି ଖଇରମାଲ। ଏଠାରେ ହୀରାକୁଦ ଜଳ ପହଞ୍ଚିବା ପାଇଁ ଲାଗିଥାଏ ୧୨ରୁ ୧୮ ଘଣ୍ଟା। ଖଇରମାଳରୁ ବରମୂଳ ୧୦୬ କିମି ଦୂରତାକୁ ୧୨ରୁ ୧୬ ଘଣ୍ଟା ଏବଂ ବରମୂଳରୁ ମୁଣ୍ଡଳିରେ ପାଣି ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ।

ବନ୍ୟାରେ ଭାସିଯାଇ ଓ କାନ୍ଥ ପଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି କହିଲେ SRC। ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ କଚ୍ଚା ଘର ଭାଙ୍ଗିଛି। ବହୁ ଚାଷ ଜମି ଜଳମଗ୍ନ ହୋଇଛି। ପାଣି ଛାଡ଼ିଲେ ଆକଳନ ହେବ, ବର୍ତ୍ତମାନ ସୁଦ୍ଧା ୧୪ଟି ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି। ଆଉ ୫ଟି ଏନଡିଆରଏଫ୍ ଓ ୨ଟି ଓଡ୍ରାଫ୍ ଟିମ୍ ମଗାଯାଇଥିବା ସେ କହିଛନ୍ତି।

You might also like