ଭୟଙ୍କର ହେଉଛି ମହାନଦୀ: ୧୨ ଜିଲ୍ଲାକୁ ବିପଦ

ଭୁବନେଶ୍ୱର: ମହାନଦୀର ଭୟଙ୍କର ରୂପ। ହୀରାକୁଦ ଡ୍ୟାମ୍‌ରୁ ୪୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ଏଭଳି ସ୍ଥିତି କେଉଁଠି ଘାଇ ସୃଷ୍ଟି କଲାଣି, ଆଉ କେଉଁଠି ଧସେଇ ପଶିଲାଣି ଜନବସତିକୁ। ଉପରୁ ତଳ ମୁଣ୍ଡ ଯାଏଁ ଟଳମଳ ଅବସ୍ଥା। କଟକ ଜିଲ୍ଲା ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇ ଚାଷ ଜମି ସହ ଗାଁ ଭିତରକୁ ପ୍ରବେଶ କରିଛି ବନ୍ୟା ପାଣି।

ଫଳରେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ। ବାଙ୍କିରୁ ବୈଦେଶ୍ୱରକୁ ମଧ୍ୟ ଯାଆସ ପ୍ରଭାବିତ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଦ୍ରୁତବେଗରେ ଫୁଲିବାରେ ଲାଗିଛି। ଫଳରେ ଜଳ ନିଷ୍କାସନ ଲାଗି ଖୋଲି ଦିଆଯାଇଛି ୪୬ଟି ଗେଟ୍। ଏହାର ପ୍ରଭାବରେ ମହାନଦୀ ଅବବାହିକାର ବୌଦ୍ଧ ଜିଲ୍ଲାର ହରଭଙ୍ଗା, ସୁବର୍ଣ୍ଣପୁରର ଉଲୁଣ୍ଡା, ବରଗଡ଼ର ଅମ୍ବାଭୋନା, ଝାରସୁଗୁଡ଼ାର ଲଖନପୁର ଆଦି ବ୍ଲକର ବହୁ ଇଲାକା ଉବୁଟୁବୁ। ସମ୍ବଲପୁରର ତଳି ଅଞ୍ଚଳରେ ମହାନଦୀର ପଛୁଆ ପାଣି ପଶି ଜଳବନ୍ଦୀ ଅଛନ୍ତି। କୁଲୁଥକାନି ଓ ବିନାଖଣ୍ଡି ଲୋକ ପାଣି ବଢ଼ୁଥିବାରୁ ଅନୁଗୁଳ ଉପଖଣ୍ଡରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ବୌଦ୍ଧ ଜିଲ୍ଲା ଖଇରମାଳଠାରେ ଆଜି ପୂର୍ବାହ୍ନରେ ହିଁ ବିପଦସଙ୍କେତ ଅତିକ୍ରମ କରିସାରିଛି। ମହାନଦୀ ପ୍ରଖର ବେଗରେ ପାଣି ମାଡ଼ି ଆସୁଥିବାରୁ ଆଜି ରାତି ସୁଦ୍ଧା ଏହା ମୁଣ୍ଡଳୀରେ ପହଞ୍ଚିଯିବ ବୋଲି ଆକଳନ କରାଯାଉଛି। ଫଳରେ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି।

ସେହିପରି ଦୟା ଓ ରାଜୁଆ ନଦୀରେ ଜଳସ୍ତର ବଢୁଥିବାରୁ ଖୋର୍ଦ୍ଧାର ଓରବରସିଂ ଏବଂ ନରଣଗଡ଼ ପଞ୍ଚାୟତର ପ୍ରାୟ ୨୦ଟି ଗାଁ ଜଳାର୍ଣ୍ଣବ ରହିଛି। ପୁରୀ ଜିଲ୍ଲା କଣାସ ବ୍ଲକର ୧୦ଟି ଗାଁ ବି ଏବେ ପାଣି ଘେରରେ। ସେପଟେ ଜଗତସିଂପୁର ଜିଲ୍ଲାର ଶାଖା ନଦୀ ଦେବୀ ଏବଂ ପାଇକା ବି ଫୁଲିବାରେ ଲାଗିଲାଣି।

ମହାନଦୀ ଅବବାହିକାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡିକେ ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର, ଜଗତସିଂହପୁର ପାଇଁ ସତ୍ୟବ୍ରତ ସାହୁ ଏବଂ ପୁରୀ ଜିଲ୍ଲା କଥା ବୁଝିବେ।

ଆହୁରି ପଢ଼ନ୍ତୁ

You might also like