ଭାସିଗଲା ପୋଲ, ବର୍ଷାରେ ବେହାଲ୍‌ ଗଞ୍ଜାମ ସ୍ଥିତି

ବ୍ରହ୍ମପୁର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ସବୁଠୁ ବେଶୀ ପ୍ରଭାବିତ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା। ତେବେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଗୋକୁଳପୁର ନିକଟରେ ପଦ୍ମା ନଦୀର ପୋଲ ଭାସିଯାଇଛି। ଏଥିଯୋଗୁଁ ୧୦ଖଣ୍ଡ ଗାଁର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପୋଲ ପାରି ହେଉଛନ୍ତି। ଗୋକୁଳପୁର ଠାରୁ ଡୁମ୍ବୁଳା ଗାଁକୁ ସଂଯୋଗ କରୁଥିବା ଏକ ପୋଲ ଭାସି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହ  ଜିଲ୍ଲାର ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ମାଟି ଅତଡ଼ା ଧସିବା ପରେ ବି ସ୍ଥିତି ସ୍ୱାଭାବିକ ହୋଇନାହିଁ। ଗତକାଲି ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଧସିଯାଇଥିଲା। ଯାହା ଏବେ ବି ରାସ୍ତା ଉପରେ ପଡ଼ି ରହିଛି ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଦକ୍ଷିଣାଞ୍ଚଳ ଆର୍ଡିସି ଟି ଆପାଙ୍ଗା ରାଓ,  ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ। ଶୀଘ୍ର ରାସ୍ତାକୁ ସଫା କରିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

You might also like