ମହାନଦୀ ବନ୍ୟାକୁ ନେଇ ବଢ଼ୁଛି ଚିନ୍ତା

କଟକ: ସାଂଘାତିକ ହେଉଛି ମହାନଦୀରେ ବନ୍ୟା ସ୍ଥିତି। ଫଳରେ ମହାନଦୀ ବନ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲାଯିବା ପରେ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବସହ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ବାଙ୍କୀରୁ ବୈଦେଶ୍ୱରକୁ ମଧ୍ୟ ଯା’ଆସ ପ୍ରଭାବିତ ହୋଇଛି।

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଫୁଲିବାରେ ଲାଗିଛି। ଫଳରେ ମହାନଦୀ ଅବବାହିକାର ବୌଦ୍ଧ ଜିଲ୍ଲାର ହରଭଙ୍ଗା, ସୁବର୍ଣ୍ଣପୁରର ଉଲୁଣ୍ଡା, ବରଗଡ଼ର ଅମ୍ବାଭୋନା, ଝାରସୁଗୁଡ଼ାର ଲଖନପୁର ଆଦି ବ୍ଲକର ବହୁ ଅଞ୍ଚଳ ପାଣିରେ ଉବୁଟୁବୁ।

ଚିନ୍ତା ବଢାଉଛି ହୀରାକୁଦର ବନ୍ୟା ଜଳ

ଏବେ ହୀରାକୁଦରୁ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ହୀରାକୁଦକୁ ୮ ଲକ୍ଷ ୦୨ ହଜାର ୫୩୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୭ ଲକ୍ଷ ୬୪ ହଜାର ୪୧୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। କଟକ ନରାଜରେ ମହାନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନରାଜରେ ବିପଦ ସଙ୍କେତ ୨୬.୪୧ ଥିବା ବେଳେ ଏବେ ଜଳସ୍ତର ୨୬.୭୫ ମିଟରରେ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳିରେ ୯,୭୯,୭୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। 

ସମ୍ବଲପୁରର ତଳିଆ ଅଞ୍ଚଳରେ ମହାନଦୀର ପାଣି ପ୍ରବେଶ କରିବା ଫଳରେ କୁଲୁଥକାନି ଓ ବିନାଖଣ୍ଡି ଅଞ୍ଚଳର ଲୋକେ ଜଳବନ୍ଦୀ ଅଛନ୍ତି। ମହାନଦୀରେ ପାଣି ଆସୁଥିବାରୁ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି।

ସେହିପରି ଦୟା ଓ ରାଜୁଆ ନଦୀରେ ଜଳସ୍ତର ବଢୁଥିବାରୁ ଖୋର୍ଦ୍ଧାର ଓରବରସିଂ ଏବଂ ନରଣଗଡ଼ ପଞ୍ଚାୟତର ପ୍ରାୟ ୨୦ଟି ଗାଁ ଜଳାର୍ଣ୍ଣବ ହୋଇଛି।

ଜଗତସିଂପୁର ଜିଲ୍ଲାର ଶାଖା ନଦୀ ଦେବୀ ଏବଂ ପାଇକା ବି ଫୁଲିବାରେ ଲାଗିଲାଣି। ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଅବବାହିକାରେ ଥିବା ପ୍ରାୟ ୧୨ଟି ଜିଲ୍ଲା ପାଇଁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। 

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ପାର୍ଶ୍ୱବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯିବା ସହ ବରିଷ୍ଠ IAS ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

You might also like