ଉପୁଡା ଗଛ, ଉଜୁଡା ଚାଳ ଓ ଲୁଣାପାଣି ଭିତରେ ପ୍ରଭାବିତଙ୍କ ଜୀବନ ସଂଘର୍ଷ

ସବୁ ଉଜାଡ଼ି ଦେଲା ବାତ୍ୟା

ଭୁବନେଶ୍ୱର: ବାତ୍ୟା ୟାସର ତାଣ୍ଡବ ପରେ ସବୁଠି ଶ୍ରୀହୀନ ଅବସ୍ଥା। ଗାଁ ଦାଣ୍ଡ, ଧାନବିଲ, ରାସ୍ତାଘାଟ, ଘରଦ୍ୱାର ଯୁଆଡ଼େ ଚାହିଁବେ କେବଳ ଧ୍ୱଂସ୍ତ ବିଧ୍ୱସ୍ତର ଚିତ୍ର। ୩ ଦିନ ପରେ ବି ଉତ୍ତର ଓ ପୂର୍ବ ଉପକୂଳ ଓଡ଼ିଶାରେ ସ୍ପଷ୍ଟ ବାରି ହେଉଛି ସାମୁୂଦ୍ରିକ ଝଡ଼ର ପଦଚିହ୍ନ। ଅନେକ ଲୋକଙ୍କର ଦୁଃଖ ଅଛି, କୋହ ବି ଅଛି। କିଛି ସ୍ଥାନରେ ରିଲିଫ ଆଉ ଥଇଥାନକୁ ନେଇ ଅସନ୍ତୋଷ ବି ଦେଖାଦେଉଛି। ତାହାରି ଭିତରେ ଉଜୁଡା ଘରଦ୍ୱାର, କ୍ଷେତବାଡ଼ିକୁ ସଜାଡ଼ିବାରେ ଲାଗିଛନ୍ତି କ୍ଷତିଗ୍ରସ୍ତ। ମୌଳିକ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ସବୁଠି ଚାଲିଛି ସଂଘର୍ଷ।

ବିପର୍ଯ୍ୟୟର ତାଣ୍ଡବ ରଚି ଫେରିଯାଇଛି ୟାସ୍। ଯିବା ପୂର୍ବରୁ ଉଜାଡ଼ିଦେଇଛି ଚାଳ, ଚୁଲି, ଚାଷ ଆଉ ବାସକୁ। ଗୋଟିଏ ପଟେ ମାଟିରେ ମିଶିଯାଇଥିବା ସ୍ୱପ୍ନକୁ ଖୋଜା ଚାଲିଛି ଆରପଟେ ଶୋଷ ଆଉ ଭୋକ ମେଣ୍ଟାଇବାକୁ ଉଦ୍ୟମ ଚାଲିଛି। ଦୁଇଦିନ ହେଲା ଜଳବନ୍ଦୀ ଜୀବନ ଭିତରେ ଉବୁଟୁବୁ ଅଛନ୍ତି ଲୋକେ। ପାଣି ଟିକକ ପାଇଁ ନଳକୂଅ ହିଁ ସାହାରା ପାଲଟିଛି। ଏଣେ ପାଗ ଅନୁକୂଳ ହେବା ପରେ ଉଜୁଡ଼ା ଘରକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି ବାତ୍ୟ କ୍ଷତିଗ୍ରସ୍ତ। ଛାଟିମାଟିର ଘରକୁ ପୁଣି ଥରେ ଛିଡ଼ା କରାଇବାକୁ ଚାଲିଛି ପ୍ରଚେଷ୍ଟା। ଆଉ ଯାହାର ଘରଦ୍ୱାର ନାହିଁ,ଆଜିକୁ ୩ ଦିନ ହେଲା ବାତ୍ୟା ଆଶ୍ରୟସ୍ଥଳରେ ଦୁଃଖ କଷ୍ଟରେ କାଳ କଟୁଛି।

ବାତ୍ୟା ଯିବାର ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ବାଲେଶ୍ୱର ଜିଲ୍ଲା ବଳରାମଗଡ଼ିରେ ଖସୁନି ଜଳସ୍ତର। ଲୁଣିପାଣି ମାଡ଼ି ଆସିବାରୁ ଏବେ ବି ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଏଠିକାର ଲୋକେ। ଯେଉଁ ଡଙ୍ଗା ତେଲ ଲୁଣର ସଂସାରକୁ ଚଳାଇନେଉଥିଲା ତାହା ଏବେ କ୍ଷତିଗ୍ରସ୍ତ, ତେଣୁ ପେଟପାଟଣାକୁ ନେଇ ଚିନ୍ତାରେ ଲୋକେ। ଏଠି ଭଙ୍ଗାଘର ସଜାଡ଼ିବାକୁ କେହିନାହାଁନ୍ତି, ମଝି ରାସ୍ତାରେ ଟଳିପଡ଼ିଥିବା ଗଛ ଉଠାଇବା କେହି ଆସୁନାହାଁନ୍ତି।

ବାତ୍ୟା ଅତିକ୍ରମ କରି ଝାଡ଼ଖଣ୍ଡ ଯିବାପୂର୍ବରୁ ତାଣ୍ଡବ ରଚିଥିଲା ମୟୁରଭଞ୍ଜ ଜିଲ୍ଲାରେ। ଏସିଆର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ କୁହାଯାଉଥିବା ଶିମିଳିପାଳରେ ବି ରଚିଥିଲା ବର୍ଷା ପ୍ରଳୟ। ଅବଶ୍ୟ ଏଠାରେ ବିଶେଷ କ୍ଷତି ଘଟାଇନି ବାତ୍ୟା। ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ଼ଇା ରାସ୍ତା ହୋଇଥିବାରୁ କିଛି ସ୍ଥାନରେ କେବଳ ଗଛ ଭାଙ୍ଗିଥିଲା। ତଥାପି ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ଟିମ୍ ଏହାର ପୁନରୁଦ୍ଧାର କରି ରାସ୍ତା ସଫା କରିଛନ୍ତି। ତେବେ ଅସ୍ତକୁଁଅର ଏବଂ ବରେହିପାଣି ପଞ୍ଚାୟତର ଅନେକ ଗାଁକୁ କିନ୍ତୁ ଯୋଗାଯୋଗ ବିଛିନ୍ନ ରହିଛି। ମୟୁରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ପ୍ରବଳ ବର୍ଷା ହୋଇଥିବା କୁସୁମି ଏବଂ ବିଶୋଇ ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ମୟୁରଭଞ୍ଜ ଗସ୍ତ କରି ବରିଷ୍ଠ ଅଧିକାରୀଙ୍କ ସହ ଏସବୁର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ।

You might also like