ସେ ଯିବା ପରେ ମୋ ଦୁନିଆ ଅନ୍ଧାର . . . . ତା’ ବିନା ମୁଁ ଅଧୁରା
ବନ୍ଧ କୋଠରୀରେ ପାଞ୍ଚବର୍ଷ : ସ୍ତ୍ରୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଉପେନ୍ଦ୍ର ମଳିକ
ସୋର (ଶଶିକାନ୍ତ ବେହେରା): ଅଜଣା ରାଇଜରେ ହଜିଯାଇଛି ପ୍ରାଣପ୍ରିୟା ସ୍ତ୍ରୀ । ତଥାପି ଅଫେରା ରାସ୍ତାକୁ ଅପଲକ ନୟନରେ ଚାହିଁ ବସିଛନ୍ତି। ଇନ୍ଦ୍ରଧନୁ ପରି ପ୍ରେମ ଜୀବନକୁ କେବେ ସାତ ରଙ୍ଗରେ ରଙ୍ଗେଇ ଦିଏ ତ, ଆଉ କେତେ ବେଳେ ଦୁଃଖର ସାଗରରେ ଭସାଇ ଦିଏ। ଏପରି ହୋଇଛି ଉପେନ୍ଦ୍ର ମଳିକଙ୍କ କ୍ଷେତ୍ରରେ। ପ୍ରାଣପ୍ରିୟା ସ୍ତ୍ରୀର ମୃତ୍ୟୁ ପରେ ଆଜି ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଲୋକକୁ ନଆସି ଅନ୍ଧାରେ କ’ଣ ସବୁ କହିଯାଉଛନ୍ତି। ଅନ୍ଧାରୀ ଘରର ବନ୍ଧ କୋଠରୀରେ ପାଞ୍ଚବର୍ଷ ଧରି ସତେ ଯେମିତି ସାତ ଜନମର ସାଥୀକୁ ଅପେକ୍ଷା କରିଛନ୍ତି । ୧୯ ବର୍ଷ ବୈବାହିକ ଜୀବନରେ ଦୁଇ ପୁଅକୁ ନେଇ ହସଖୁସିର ସଂସାର ଚାଲୁଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ହଠାତ ପ୍ରାଣପ୍ରିଆ ସ୍ତ୍ରୀକୁ ହରାଇ ବସିଲେ, ଆଉ ତା’ ପର ଠାରୁ ଦୁନିଆକୁ ପର କରି ଅନ୍ଧାରୀ ଘରେ ରହୁଛନ୍ତି।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଂଚାୟତ ମଛଦା ଗ୍ରାମର ଉପେନ୍ଦ୍ର ମଳିକ । ଜଣେ ଯାତ୍ରା ଖଳନାୟକ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଣ୍ଟିଥିଲେ । ତାଙ୍କର ଡାଏଲଗ ଶୁଣିବାକୁ ହଜାରେ ଖଣ୍ଡ ଗାଁରୁ ଲୋକେ ରୁଣ୍ଡ ହୋଇଯାଉଥିଲେ। ତାଙ୍କ ଅଭିନୟ ଯାଦୁରେ ବାନ୍ଧି ହୋଇ ରହୁଥିଲେ ଦର୍ଶକ। ୧୯୯୦ ମସିହାରେ ଅଙ୍ଗନବାଡି କର୍ମୀ ସରୋଜିନୀ ମହାନ୍ତିଙ୍କୁ ପ୍ରେମବିବାହ କରିଥିଲେ ଉପେନ୍ଦ୍ର। ଦାମ୍ପତ୍ୟ ଜୀବନ ଖୁବ ଭଲରେ କଟୁଥିଲା। ହେଲେ ଦଇବର ଖେଳ ଥିଲା ଭିନ୍ନ ପ୍ରକାର। ସତରେ ଏତେ ହସଖୁସିର ସଂସାରକୁ ଯେପରି ସହିଲାନି, ୨୦୦୯ ମସିହାରେ ହଠାତ କୌଣସି କାରଣରୁ ସରୋଜିନୀଙ୍କର ମୃତ୍ୟୁ ହୋଇଯାଇଥିଲା।
ଆଉ ସେହିଦିନ ଠାରୁ ଉପେନ୍ଦ୍ର ପାଗଳପ୍ରାୟ ହୋଇଯାଇଛନ୍ତି। କୌଣସି ସ୍ତ୍ରୀ ଲୋକଙ୍କୁ ଦେଖିଲେ ଗାଳିଗୁଲଜ କରୁଛନ୍ତି। ଆଲୁଅକୁ ଦେଖିଲେ ଡରୁଛନ୍ତି। ନିଜକୁ ଏକ ପ୍ରକାର ଗହଳି ଚହଳି ଠାରୁ ଦୂରେଇ ରଖୁଛନ୍ତି। ଶେଷରେ ପାଞ୍ଚ ବର୍ଷ ହେଲା ଅନ୍ଧାରରେ କଟୁଛି ଉପେନ୍ଦ୍ରଙ୍କ ଜୀବନ । କୌଣସି ବାହାର ବ୍ୟକ୍ତି କୋଠରୀର ପରଦା ଖୋଲିବା ମାତ୍ରେ ସେ ଗାଳି ଗୁଲଜ କରିବାସହ ଟେକା ପଥର ଧରି ଆକ୍ରମଣ କରୁଛନ୍ତି। କେବଳ ରାତିରେ ନିଜ ଦୁଇ ପୁଅଙ୍କ ଠାରୁ କିଛି ଖାଉଛନ୍ତି।
ଉପେନ୍ଦ୍ରଙ୍କୁ ତାଙ୍କ ପୁଅ ମାନେ କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ଦେଖାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନି । ଏହି ପରିବାରକୁ ସରକାରୀ ହେଉ କି ବେସରକାରୀ ହେଉ ଯଦି କୌଣସି ସହାୟତା ମିଳନ୍ତା ତାହେଲେ ଉପେନ୍ଦ୍ର ଭଲ ହୋଇପାରନ୍ତେ ବୋଲି ତାଙ୍କ ପୁଅ କହିଛନ୍ତି।