ପାଣି ଘେରରେ ଖୋର୍ଦ୍ଧା ବ୍ଲକ୍‌ର ୫ ପଞ୍ଚାୟତ, ଘରୁ ବାହାରି ପାରୁନାହାନ୍ତି ଲୋକେ

ଖୋର୍ଦ୍ଧା: ଜଳବନ୍ଦୀ ଅବସ୍ଥାରେ ଖୋର୍ଦ୍ଧା ବ୍ଲକର ୫ଟି ପଞ୍ଚାୟତ। ଉବୁଟୁବୁ ଗାଁ ଗଣ୍ଡା ରାସ୍ତା ଘାଟ, ବିଲ ବାଡ଼ି ସବୁଆଡେ ପାଣି। ୫ ଦିନ ହେବ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ।

ହିରିମୂଳ, ଓରବରସିଂ, ଶରଧାପୁର, ଡିହଖଳା ଓ ଓରମି ପଞ୍ଚାୟତ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଗୋଖାଦ୍ୟ ଓ ଶିଶୁ ଖାଦ୍ୟର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଚୁଲିରେ ପାଣି ପଶିଥିବାରୁ ଘରେ ରୋଷେଇ ବି ବନ୍ଦ ହୋଇଛି। ୫ ଦିନ ହେଲା ଗାଇଗୋରୁଙ୍କ ସହ ଛୁଆ ପିଲାଙ୍କୁ ଧରି ଭୋକ ଉପାସରେ ଶହ ଶହ ଲୋକ ପଡ଼ିରହିଛନ୍ତି । ପୁଣି ବିଷଧର ସାପ ଘରେ ପଶିଯାଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପିଲାଙ୍କ ପାଠପଢ଼ା ବି ଠପ୍ ହୋଇଯାଇଛି। ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

ସ୍ଥାନୀୟ ବିଧାୟକ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଯେ, ବନ୍ୟା ପରିସ୍ଥିତି ନାହିଁ। ତଥାପି ରାସ୍ତା ଉପରେ ପାଣି ଚାଲୁଥିବାରୁ ଡଙ୍ଗା ଯୋଗାଇ ଦିଆଯାଇଛି।

(ବଳରାମ ଲେଙ୍କାଙ୍କ ରିପୋର୍ଟ)

You might also like