ବଡ଼ ପୁଅର ମୃତ୍ୟୁ ପରେ ମା’ ଓ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆଖି ବୁଜିଲେ ସାନ ପୁଅ

ଝାରସୁଗୁଡ଼ା: ଘରର ବଡ଼ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ସାନ ପୁଅର ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ବିଶ୍ୱାଳ।

ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାରର ସଦସ୍ୟ। ପୁଅର ଶବ ଘରେ ପଡ଼ି ଥିବାବେଳେ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମା’, ୩ ଭଉଣୀ ଓ ସାନ ଭାଇ(ଶ୍ରୀକାନ୍ତ) ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଗତକାଲି ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏବେ ଗୁରୁତର ମା’ ଓ ୨ ଭଉଣୀ ଝାରସୁଗୁଡ଼ା ମେଡିକାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ଜଣେ ଭଉଣୀ ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସୂଚନାଥାଉ କି, ଗତ ୧ ତାରିଖରେ ଘରର ବଡ଼ ପୁଅର ମୃତ୍ୟୁ ଘଟିଥିଲା। ଏହାପରେ ଏମାନେ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

You might also like