୨ ମାସ ପାଇଁ ମାଛଧରା ଉପରେ ଲାଗିଲା ପ୍ରତିବନ୍ଧକ

ଚିନ୍ତାରେ ମତ୍ସଜୀବୀ

  • ମାଛମାନଙ୍କ ପ୍ରଜନନ ପାଇଁ ୨ ମାସ ମାଛମରା କଟକଣା
  • ଏପ୍ରିଲ ୧୫ରୁ ଜୁନ୍ ୧୪ ଯାଏ ମାଛମରା ନେଇ କଟକଣା
  • କେମିତି ଚଳିବେ ମତ୍ସ୍ୟଜୀବୀ ପରିବାର, ସେନେଇ ବଢୁଛି ଚିନ୍ତା
  • ଦୁଇ ମାସ ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ଦାବି

ବାସୁଦେବପୁର: ଏବେ ମାଛ ମାନଙ୍କ ପ୍ରଜନନ ଋତୁ। ଏଥିପାଇଁ ଓମ୍ଫ୍ରା ଆକଟ ଅନୁସାରେ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଛି କଟକଣା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୧୫ ତାରିଖରୁ ଜୁନ ମାସ ୧୪ ତାରିଖ ପର୍ଯ୍ୟନ୍ତ ମାଛମରା ନିଷେଧ ରହିଛି। ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗର ଏପରି ନିର୍ଦ୍ଦେଶ ଯୋଗୁ ହଜାର ହଜାର ମତ୍ସ୍ୟଜୀବି ହାତବାନ୍ଧି ଘରେ ବସି ରହିବାକୁ ବାଧ୍ୟ ହୋଇଛନ୍ତି। ଗତବର୍ଷ କରୋନା ଯୋଗୁ ମାଛମରା ବନ୍ଦ ଥିବାବେଳେ ଏବେ ପୁଣି ୨ ମାସ ନିଷେଧ କଟକଣା ବେଶ୍ ପ୍ରଭାବ ପକାଇଛି ମତ୍ସ୍ୟଜୀବୀଙ୍କ ପେଟପାଟଣା ଉପରେ।

ଯିଏ ଯାହାର ଜାଲ ସାଉଁଟିବାରେ ବ୍ୟସ୍ତ। କୂଳକୁ ଫେରିବାରେ ଲାଗିଛି ଗୋଟେ ପରେ ଗୋଟେ ମାଛଧରା ଡଙ୍ଗା। ମାଛମାନଙ୍କ ପ୍ରଜନନ ଋ଼ତୁ ଆସିଥିବାରୁ ସମୁଦ୍ରରୁ ଫେରି ଆସୁଛନ୍ତି ମତ୍ସ୍ୟଜୀବୀ। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୪ ଯାଏ ଓମ୍ଫ୍ରା ଆକଟ ଅନୁସାରେ ସମୁଦ୍ରରେ ମାଛ ମାରିବା ବାରଣ ଥିବାରୁ ଫେରି ଆସୁଛନ୍ତି ମତ୍ସ୍ୟଜୀବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଚୂଡାମଣି, କଶିଆ ଓ ପଢୁଆଁ ମାଛଧରା ଜେଟି ଅଂଚଳରେ ସମୁଦ୍ରରୁ ମାଛ ମାରି ବର୍ଷଯାକ ଚଳିଥାନ୍ତି ପ୍ରାୟ ୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର। ଗତବର୍ଷ କରୋନା କଟକଣା ପାଇଁ ମାଛ ମରା ବନ୍ଦ ଥିବାବେଳେ ଏବେ ଧୀରେ ଧୀରେ ସଳଖୁଥିଲେ ବେପାରୀ ଓ ମତ୍ସ୍ୟଜୀବୀ। ହେଲେ ପୁଣି ୨ ମାସ କଟକଣା ଯୋଗୁ ଏବେ ପେଟପାଟଣା କିଭଳି ଚଳିବ, ସେନେଇ ବଢୁଛି ଚିନ୍ତା। ଏହି ଦୁଇମାସ ପାଇଁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

୮.୫ ମିଟରରୁ କମ୍ ଦୈର୍ଘ୍ୟର ପାରମ୍ପରିକ ଡଙ୍ଗାରେ ମାଛମରାକୁ ରାଜ୍ୟ ସରକାର କେବଳ ଅନୁମତି ଦେଇଛନ୍ତି। ଯାହାକୁ ନେଇ ପାରାଦୀପରେ ଟ୍ରଲର୍ ମାଲିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଛଧରା ଯଦି ବନ୍ଦ ହେଉଛି, ତେବେ ଅନ୍ୟ ରାଜ୍ୟ ଭଳି ସମସ୍ତ ପ୍ରକାର ଡଙ୍ଗାକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ଟଲର୍ ମାଲିକମାନେ। ପାରାଦୀପରେ ପ୍ରାୟ ୬୫୦ଟି ଟ୍ରଲର୍ ସାଙ୍ଗକୁ ୩ ଶହ ଛୋଟ ଛୋଟ ଡଙ୍ଗା ରହିଛି। ଏହି ଦୁଇ ମାସ ଟ୍ରଲର୍ ବନ୍ଦ ରହିଲେ, ସେଥିରେ କାମ କରୁଥିବା ଅନେକ ମତ୍ସ୍ୟଜୀବୀ ରୋଜଗାର ହରାଉଥିବାବେଳେ ଜୀବୀକା ବି ପ୍ରଭାବିତ ହେଉଛି। ଅନ୍ୟପଟେ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଯେଉଁ ଅଂଚଳରେ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେଉଛି, ସରକାର ସେମାନଙ୍କ ପାଇଁ ସହାୟତା ବ୍ୟବସ୍ଥା କରିଥିବାବେଳେ ପାରାଦୀପରେ ସେଭଳି ବ୍ୟବସ୍ଥା ନଥିବା କହିଛନ୍ତି ମତ୍ସ୍ୟ ଅଧିକାରୀ।

ବାସୁଦେବପୁରରୁ କିରୀଟି ଦାସ ଏବଂ ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ

 

You might also like