ରୋଜଗାରର ନୂଆ ପନ୍ଥା : ଚାକିରିରୁ ଅବସର ପରେ କୁଣ୍ଡରେ ମାଛଚାଷ ଆରମ୍ଭ କଲେ କପିଳ ଚରଣ

ଅନ୍ୟ ପାଇଁ ପ୍ରେରଣା

  • ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ
  • ବାୟୋଫ୍ଲକ୍ ମାଛ ଚାଷ ରୋଜଗାରର ରାସ୍ତା ଦେଖାଇଛି
ନିଆଳି(ବିନୟ ମିଶ୍ର): ରୋଜଗାରର ନୂଆ ବାଟ ଦେଖାଇଛି ବାୟୋଫ୍ଲକ୍ ମାଛ ଚାଷ। କଟକର କପିଳ ଚରଣ ନାୟକ ଚାକିରିରୁ ଅବସର ପରେ ଗାଁରେ ଆରମ୍ଭ କରିଛନ୍ତି ମାଛଚାଷ। ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ସଫଳ ହୋଇଛନ୍ତି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କଟକ ଜିଲ୍ଲାରେ ମୁଖ୍ୟତଃ ଧାନ, ପାନ, ମାଛ ଓ ପନିପରିବା ଚାଷ କରାଯାଏ। ମାଛ ଚାଷ ପାଇଁ କିଛି ଚାଷୀଙ୍କ ମଧ୍ୟରେ ଉତ୍ସାହ ଥିଲେ ମଧ୍ୟ ପୋଖରୀ ଓ ଜମି ଅଭାବରୁ କେତେକ ଚାଷୀ ବସି ରହୁଛନ୍ତି। ମାତ୍ର ଏବେ କପିଳଙ୍କ କୁଣ୍ଡ ମାଛଚାଷ ଦେଖି ଏଥିପ୍ରତି ଆଗ୍ରହାନ୍ୱିତ ହେଉଛନ୍ତି ଚାଷୀ।

 

କଟକ ନିଆଳିର ସିଠାଳୋ ଗାଁର କପିଳ ନାୟକ। ଚାକିରିରୁ ଅବସର ପରେ ଖାଲି ବସିଲେ ଭଲ ଲାଗିବନି ଚିନ୍ତା କରି ବାୟୋଫ୍ଲକ୍ ମାଛ ଚାଷ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ। ଆଉ ତା’ପରେ ଦୁଇ ପୁଅଙ୍କ ପରାମର୍ଶ କ୍ରମେ ନିଜ ବାଡିରେ କୁଣ୍ଡ ତିଆରି କରି ଆରମ୍ଭ କରିଥିଲେ ମାଛଚାଷ। ପ୍ରଥମେ ୨ ଦୁଇଟି କୁଣ୍ଡରୁ ଏହି ଚାଷ ଆରମ୍ଭ ହୋଇଥିଲା। ଗୋଟିଏ କୁଣ୍ଡରେ ୧୧ଶହ ଜାଆଁଳ ଛଡାଯାଇଛି। ୬ ମାସରେ ଏହି ମାଛ ବିକ୍ରି ପାଇଁ ଉପଯୁକ୍ତ ହେବେ ଏବଂ ଏଥିରେ ଭଲ ଲାଭ ହେବ ବୋଲି ସେ ଆଶା ରଖିଛନ୍ତି।

ପ୍ରଥମେ ଜଗତସିଂହପୁରରୁ ଏହି ଚାଷ ଦେଖିଥଲେ, ଆଉ ତା’ପରେ ଚାଷ ଆରମ୍ଭ କରିଥିଲେ। ଚାକିରି ପରେ କିଛି ନୂଆ ପ୍ରୟାସ କରି ଏବେ ସେ ନିଆଳି ବ୍ଲକ ଅଂଚଳରେ ଅନ୍ୟ ଚାଷୀ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି କପିଳ ଚରଣ। ତାଙ୍କ ଠାରୁ ଦେଖି ତାଙ୍କର ଦୁଇ ବନ୍ଧୁ ସୂର୍ଯ୍ୟକାନ୍ତ ପାଢୀ ଓ ଚିତରଞ୍ଜନ ମହାପାତ୍ର ମଧ୍ୟ ନିଜ ବାଡିରେ ଆରମ୍ଭ କରିଛନ୍ତି କୁଣ୍ଡରେ ମାଛଚାଷ। 

ତେବେ କୁଣ୍ଡରେ ମାଛ ଚାଷ ପାଇଁ ଅଧିକ ଜମିର ଆବଶ୍ୟକତା ନାହିଁ। ନିଜ ବାଡିରେ ଏକ ଡିସିମିଲ ଜାଗାରେ ୪ଟି କୁଣ୍ଡ କରି ଏହି ଚାଷ କରାଯାଇପାରିବ।୧୬/୧୨ ୪ଫୁଟ ଉଚ୍ଚତାରେ ୨୨ଶହ ଲିଟର ପାଣିରେ ୧୧ଶହ ମାଛ ରହି ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ପ୍ରଣାଳୀରେ ମାଛ ଚାଷ ଦ୍ୱାରା ମାଛ ଦାନା କମ ଖର୍ଚ୍ଚ ହୋଇଥାଏ। ଏପରି ମାଛ ଚାଷ ଦେଖିବାକୁ ଏବେ ତାଙ୍କ ଘରେ ଗ୍ରାମବାସୀ ଓ ଆଖପାଖ ଲୋକଙ୍କ ଭିଡ଼ ଜମୁଛି। ବେକାର ଯୁବକଯୁବତୀ ମାନଙ୍କ ପାଇଁ ଓ ପ୍ରବାସୀ ଦାଦନ ଶ୍ରମିକଙ୍କ ପାଇଁ ଏହି ଚାଷ ସାହାରା ହେବ ବୋଲି ସେ କହିଛନ୍ତି ।

ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ଆଉ ଅଧିକ ବାୟୋଫ୍ଲୋକ ଚାଷ କରିପାରନ୍ତେ ବୋଲି ସେ ଓ ତାଙ୍କ ତିନି ବନ୍ଧୁ ପ୍ରକାଶ କରିଛନ୍ତି। ସେହିପରି ବେକାର ଯୁବକ ମାନଙ୍କୁ ଏହି ମାଛ ଚାଷ ପଇଁ ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ରୋଜଗାରକ୍ଷମ ହୋଇପାରନ୍ତେ ।

You might also like